ମୁମ୍ବାଇ: ଭାରତର ସବୁଠୁ ଧନୀ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଆମେରିକାର ଏକ କୋର୍ଟ ଗିରଫ ପରୱାନା ଜାରି କରିଛି । ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି । ଯାହାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି । ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବା ଖବର ପ୍ରଚାରିତ ହେବା ପରେ ଭାରତୀୟ ସେୟାର ବଜାରରେ ଗୋଟିଏ ଦିନରେ ୫ ଲକ୍ଷ ୩୫ ହଜାର କୋଟି ଟଙ୍କା ବୁଡ଼ି ଯାଇଛି । ଏହା ଆମ ଦେଶର ବାର୍ଷିକ ରକ୍ଷା ବଜେଟ ସହ ସମାନ ବୋଲି କୁହାଯାଉଛି । ଏପରିକି ଏହି ଖବର ପ୍ରଚାରିତ ହେବା ପରେ ଭାରତୀୟ ଷ୍ଟକ୍ ମାର୍କେଟ ଗୋଟିଏ ମିନିଟକୁ ୧୧୫ କୋଟି ଟଙ୍କା କ୍ଷତି ସହୁଥିବା କୁହାଯାଇଛି ।
ଏଥିସହ ଆଦାନୀ ଗ୍ରୁପ୍ ଅଧୀନରେ ଥିବା କମ୍ପାନୀଗୁଡିକର ୨ ଲକ୍ଷ୨୦ ହଜାର କୋଟି ଟଙ୍କାର କ୍ଷତି ଘଟିଛି । ଆମେରିକା କୋର୍ଟଙ୍କ ରାୟ ପ୍ରକାଶ ହେବା ପୂର୍ବରୁ ଆଦାନୀ ଗ୍ରୁପ୍ ଅଧୀନରେ ଥିବା କମ୍ପାନୀଗୁଡିକର ମାର୍କେଟ ଭ୍ୟାଲୁ ୧୪ ଲକ୍ଷ ୩୧ ହଜାର କୋଟି ଥିଲା । ତାହା ଏବେ ୧୨ ଲକ୍ଷ ୧୦ ହଜାର କୋଟିକୁ ଖସି ଆସିଛି । ଗୌତମ ଆଦାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ହୋଇଥିବା ବେଳେ ସମଗ୍ର ବିଶ୍ୱରେ ୨୨ତମ ସ୍ଥାନ ହାସଲ କରିଥିଲେ । ମାତ୍ର ଏବେ ସେ ୨୫ ତମ ସ୍ଥାନକୁ ଖସି ଆସିଛନ୍ତି ।
ଆଦାନୀଙ୍କ ବିରୋଦରେ ଆମେରିକାର ଏହି ଅଭିଯୋଗକୁ ନେଇ ଭାରତରେ ରାଜନୀତି ଜୋର ଧରିଛି । ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଆମେରିକାର ଅଭିଯୋଗ ପରେ ଘଟଣାର ଜଏଣ୍ଟ ପାର୍ଲାମେଣ୍ଟାରି କମିଟି (ଜେପିସି) ତଦନ୍ତ କରୁ ବୋଲି ଦାବି କରିଛି କଂଗ୍ରେସ ।
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏବଂ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ (DOJ) ଅଭିଯୋଗ କରିଥିଲେ ଯେ, ଆମେରିକାରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀ ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ ନିମସ୍ତେ ଭାରତର ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର (୨,୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି । ଅନେକ ମାମଲାରେ ଆଦାନୀ ନିଜେ ସରକାରୀ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଥିବା ଅଭିଯୋଗ ହୋଇଛି ।
୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଭାରତର ଆନ୍ଧ୍ରପ୍ରଦେଶ, ଜମ୍ମୁ-କଶ୍ମୀର, ତାମିଲନାଡ଼ୁ ଓ ଛତିଶଗଡ଼ର ବହୁ ସରକାରୀ ଅଧିକାରୀଙ୍କୁ ୨୦୨୧ରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ଶହ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଏହାବାଦ ଆମେରିକା ନିବେଶକାରୀଙ୍କୁ ମିଛ ପ୍ରଲୋଭନ ଦେଖାଇ ଷ୍ଟକ ଏକ୍ସଚେଞ୍ଜ ଜରିଆରେ ଆଦାନୀ ଠକେଇ କରିଥିବା ମଧ୍ୟ ଜଣାପଡ଼ିଛି । ଏହି ଘଟଣା ପରେ ଆମେରିକାର ଏକ କୋର୍ଟ ସେମାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ମାତ୍ର ଆଦାନୀ ଗ୍ରୁପ୍ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି । ଏସବୁ ଅଭିଯୋଗ ଭିତ୍ତିହୀନ, କମ୍ପାନୀ ସମସ୍ତ ନିୟମ ଅନୁପାଳ କରିଛି । ଦରକାର ପଡ଼ିଲେ ସମସ୍ତ ଆଇନଗତ ପନ୍ଥା ଆପଣା ଯିବ ବୋଲି ଆଦାନୀ ଗ୍ରୁପ୍ କହିଛି ।