ପୁଣି ଆଳୁ ଗାଡ଼ି ଅଟକାଇଲା ପଶ୍ଚିମବଙ୍ଗ, ବଢ଼ିବ ଦର !


ଭୁବନେଶ୍ବର: ଓଡ଼ିଶାକୁ ଆଳୁ ପଠାଇବାକୁ ଅମଙ୍ଗ କି ପଶ୍ଚିମବଙ୍ଗ ସରକାର ? ମମତା ଦିଦି ପୁଣି ଲଗାଇ ଦେଲେ ବି କଟକଣା ? ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍ । ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କି.ମି. ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି । ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ । ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ପ୍ରକୃତ କାରଣ ଜଣାପଡ଼ିନାହିଁ ।

ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଡାକି ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ । ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି ।

ଆଳୁ ଦର ହ୍ରାସ ପାଇଁ ପଶ୍ଚିମବଙ୍ଗ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ପଶ୍ଚିମ ମେଦିନୀପୁର ଜିଲ୍ଲା ପୋଲିସ ନାକାରେ ଆଳୁ ଗାଡ଼ି ଅଟକ ରଖା ଯାଇଛି ଏବଂ ପ୍ରଶାସନ ଅନ୍ୟ ରାଜ୍ୟକୁ ମଧ୍ୟ ଆଳୁ ରପ୍ତାନି ବନ୍ଦ କରିଦେଇଥିବା ଜଣାଯାଇଛି । ବେଲଦା, ଦାତନ, ସୋନାକୋଣିଆ ନାକାରେ ବି ଆଳୁ ଟ୍ରକ୍ ଅଟକାଯାଇଥିବା ସୂଚନା ରହିଛି ।

ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡ଼ି ଅଟକିବା ପ୍ରସଙ୍ଗରେ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ‘ହଠାତ୍ ଗତକାଲିଠୁ ପଶ୍ଚିମବଙ୍ଗ ସରକାର ଏକ ମୌଖିକ ନିର୍ଦ୍ଦେଶ ଜାରି କରିଛନ୍ତି । ସବୁ ସୀମାରେ ଆଳୁ ଗାଡ଼ି ଅଟକା ଯାଇଛି, ଛଡ଼ା ଯାଉନାହିଁ । ସରକାର ତୁରନ୍ତ ଶୀଘ୍ର ବିଚାରକୁ ନେଇ କିପରି ଏହାର ସମାଧାନ ହେବ ତାହାର ବାଟ ବାହାର କରନ୍ତୁ । ସୀମାରେ ଅଟକି ରହିଥିବା ଗାଡ଼ି କିପରି ଓଡ଼ିଶା ଭିତରକୁ ଆସିବ ସେନେଇ ବ୍ୟବସ୍ଥା କରନ୍ତୁ ।