ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଲୋକସେବା ଭବନ କନଭେନସନ ସେଣ୍ଟରରେ ହେବାକୁ ଥିବା ଡିଜିପି ସମ୍ମିଳନୀରେ ହେବେ ସାମିଲ । ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ଓଡ଼ିଶା ଆସୁଛନ୍ତି । ତେଣୁ ଡିଜିପି ଓ ଆଇଜି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର ।
ଆସନ୍ତାକାଲି ଅପରାହ୍ନ ୪ଟା ୨୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ତା’ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରି କଡ଼ା ଯାଞ୍ଚ କରୁଛନ୍ତି ପୋଲିସ ଓ ବିଏସଏଫ । ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାହାରକୁ ଯାଉଥିବା ସମସ୍ତ ଗାଡ଼ିର ତନଖି କରାଯାଉଛି । ପିଏମଙ୍କ ଗସ୍ତ ପାଇଁ ରାତିସାରା ଭୁବନେଶ୍ବରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ କଡ଼ା ଚେକିଂ କରାଯାଇଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମ ସମୟରେ ଏହି ସବୁ ସ୍ଥାନରେ କୌଣସି ଡ୍ରୋନ୍ ଉଡ଼ି ପାରିବ ନାହିଁ । ରାଜଧାନୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଚାରିଆଡ଼େ ପଇଁତରା ମାରୁଛନ୍ତି ବିଏସଏଫ୍ ଯବାନ । ରାଜ୍ୟ ଅତିଥି ଭବନରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି । ସବୁ ବିଲଡିଂକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ କଡ଼ା ନଜର ରଖାଯାଇଛି ।
ସେପଟେ ଡିଜିପି ସମ୍ମିଳନୀ ପାଇଁ ସଜେଇ ହୋଇଛି ଭୁବନେଶ୍ୱର । ରାଜ୍ୟ ଅତିଥି ଭବନଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ସାଜସଜ୍ଜା ଚାଲିଛି । ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ରାଜଧାନୀ । ସବୁଠି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ସମ୍ମିଳନୀ ହେବାକୁ ଥିବା ଲୋକସେବା ଭବନ କନଭେନସନ୍ ସେଣ୍ଟର ଓ ଷ୍ଟେଟ୍ ଗେଷ୍ଟ ହାଉସରେ ପ୍ରସ୍ତୁତି କିଭଳି ହୋଇଛି ଏବଂ କେଉଁ ପର୍ଯ୍ୟାୟରେ ପହଞ୍ଚିଛି ସେନେଇ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।