ଚଣ୍ଡିଗଡ଼: ଘରୋଇ ଚିକିତ୍ସାରେ ସ୍ପେଶାଲ୍ ଡାଏଟ୍ ଜରିଆରେ କ୍ୟାନ୍ସର ଭଲ ହେଉଥିବା ଦାବି କରିବା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ପଡ଼ିଛି ମହଙ୍ଗା । ତାଙ୍କ ପତ୍ନୀଙ୍କ ବିରୋଧରେ ଜାରି ହୋଇଛି ୮୫୦ କୋଟି ଟଙ୍କାର ନୋଟିସ୍ । ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି ।
ସେ କରିଥିବା ଦାବିକୁ ସିଦ୍ଧ କରିବା ପାଇଁ ୭ ଦିନ ଭିତରେ ପ୍ରମାଣ ନଦେଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଚେତାବନୀ ଦିଆଯାଇଛି । ଏଥିସହ ଦାବିରେ ସତ୍ୟତା ନଥିଲେ କ୍ଷମା ମାଗିବାକୁ କୁହାଯାଇଛି । ବହୁ ଡାକ୍ତର ମଧ୍ୟ ଏଭଳି ଦାବିକୁ ଦୃଢ଼ ବିରୋଧ କରିଛନ୍ତି ଓ ଏହା ବିଜ୍ଞାନ ଆଧାରିତ ନୁହେଁ ବୋଲି କହିଛନ୍ତି ।
ସପ୍ତାହେ ତଳେ ସାମ୍ବାଦିକ ସମ୍ମିଳନୀରେ ନବଜୋତ ସିଂହ ସିଦ୍ଧୁ ଏବଂ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ କହିଥିଲେ ଯେ, ବ୍ରେଷ୍ଟ କ୍ୟାନସର ଚତୁର୍ଥ ଷ୍ଟେଜରୁ ଆରୋଗ୍ୟ ପାଇଁ କେମୋ ଥେରାପି ସହ ଅସ୍ତ୍ରୋପଚାର ବି ହୋଇଥିଲା । ତେବେ ଏଥିସହ ସ୍ପେଶାଲ ଡାଏଟ୍ ଭାବେ ସେ ସକାଳୁ ଖାଲି ପେଟରେ ଉଷୁମ ଲେମ୍ବୁ ପାଣିରେ କଞ୍ଚା ହଳଦୀ ଓ ଗୋଟିଏ ପାଖୁଡା ରସୁଣ ଖାଉଥିଲେ । ଅଧଘଣ୍ଟା ପରେ ୧୦ରୁ ୧୨ଟି ନିମ୍ବ ପତ୍ର ଓ ତୁଳସୀ ପତ୍ର ସହ ଅଦା, ଡାଲଚିନି ଓ ଗୋଲମରିଚ ଖାଉଥିଲେ । ଶ୍ୱେତସାର ଯୁକ୍ତ ଖାଦ୍ୟ, ଚିନି, କ୍ଷୀର, ରିଫାଇନ୍ ତେଲ ବନ୍ଦ କରିବା ସହ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଡିନର କରୁଥିଲେ । ଖାଇବାରେ ଲମ୍ବା ବ୍ୟବଧାନ କର୍କଟ କୋଷକୁ ମାରିବାର କ୍ଷମତା ରଖୁଥିବାରୁ ୧୪ ଘଣ୍ଟା ଖାଲି ପେଟରେ ରହୁଥିଲେ । ତେବେ ଏଭଳି ଦାବିକୁ ଭ୍ରମାତ୍ମକ ବୋଲି ନୋଟିସରେ ଦର୍ଶାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି ।