ସ୍ମାର୍ଟ ପୋଲିସିଂ ଉପରେ ମୋଦିଙ୍କ ଗୁରୁତ୍ବ, ଅପରାଧ ରୋକିବାକୁ AI ଉପଯୋଗ କରିବାକୁ ଦେଲେ ପରାମର୍ଶ


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରେ ଅନୁଷ୍ଠିତ ସର୍ବଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟବସ୍ଥାକୁ ରଣନୀତିକ, ଯତ୍ନଶୀଳ, ନିର୍ଭରଯୋଗ୍ୟ ଓ ସ୍ୱଚ୍ଛ କରିବାକୁ ଆହ୍ୱାନ ଦେବା ସହ ଡିଜିଟାଲ୍ ଠକେଇ ଓ ସାଇବର ଅପରାଧ ରୋକିବାକୁ AI ଉପଯୋଗ କରିବାକୁ ଦେଇଛନ୍ତି ପରାମର୍ଶ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଆସପିରେସନାଲ୍ ଇଣ୍ଡିଆ ହେଉଛି ଡବଲ୍ AI । କାର୍ଯ୍ୟଚାପ ହ୍ରାସ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରନ୍ତୁ । ବିକଶିତ ଭାରତକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥାର ଆଧୁନିକୀକରଣ ହେଉ । ହ୍ୟାକିଂ ରୋକିବାକୁ ଜାତୀୟ ପୋଲିସ ହ୍ୟାକାଥନ ଆପଣାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭୁବନେଶ୍ୱରରେ ଦେଶ ସୁରକ୍ଷା ସମ୍ପର୍କିତ ତିନି ଦିନିଆ ଡିଜିପି ଓ ଆଇଜିପି ସମ୍ମିଳନୀ ହୋଇଥିଲା । ଏହା ଗତକାଲି ଉଦଯାପିତ ହେବା ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । ୩ ଦିନିଆ ବୈଠକରେ ସୀମା ସୁରକ୍ଷା ଓ ସାଇବର ଅପରାଧଠୁ ଆରମ୍ଭ କରି ନକ୍ସଲ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିସହ ବେଆଇନ ଅନୁପ୍ରବେଶ, ଶରଣାର୍ଥୀ ସମସ୍ୟା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନିଶା କାରବାର ଓ ତଟ୍ଟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ସମୟ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି ।

ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ଏହି ସର୍ବଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀରେ ସବୁ ରାଜ୍ୟର ଡିଜିପି, ଆଇଜିପିଙ୍କ ସହ ଗୃହ ସଚିବ, ଗୃହ ମନ୍ତ୍ରାଳୟର ତମାମ୍ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡ଼ିତ ସମସ୍ତ ତୁଙ୍ଗ ଅଫିସର ଉପସ୍ଥିତ ଥିଲେ । ୩ ଦିନିଆ ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ହୋଇଥିବା ବ୍ୟବସ୍ଥାକୁ ବିଭିନ୍ନ ରାଜ୍ୟର ପ୍ରତିନିଧି ପ୍ରଶଂସା କରିଥିବା କହିଛନ୍ତି ପୁଲିସ କମିଶନର ।