ଭୁବନେଶ୍ବର: ୫ ଦିନିଆ ଓଡ଼ିଶା ଗସ୍ତରେ ଗତକାଲିଠାରୁ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ଭୁବନେଶ୍ବରରେ ରାତ୍ରୀଯାପନ କରିଥିବା ବେଳେ ଆଜି ପୁରୀ ଅଭିମୁଖେ ବାହାରିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ତିନି ଠାକୁରଙ୍କୁ ଦର୍ଶନ କରିବେ । ଏହାସହ ନୌସେନା ଦିବସ ଓ ଅନ୍ୟ କାର୍ଯ୍ୟକ୍ରମରେ ହେବେ ସାମିଲ ।
ଶ୍ରୀକ୍ଷେତ୍ର ପୁରୀରେ ଆଜି ଦିନତମାମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ସକାଳରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବାହାରି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯାଇଛନ୍ତି । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ମା’ ବିମଳା ଓ ଲକ୍ଷ୍ମୀଙ୍କୁ ବି ଦର୍ଶନ କରିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସକାଳେ କିଛି ଘଣ୍ଟା ଲାଗି ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ ମହାମହିମ । ସେଠାରୁ ମଧ୍ୟାହ୍ନ ୧୨ଟାରେ ପୁରୀ ରାଜଭବନ ଫେରି ଭୋଜନ କରିବେ ରାଷ୍ଟ୍ରପତି । ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି । ସେଠାରେ ସଂଧ୍ୟା ୫ଟା ୪୫ ମିନିଟ ଯାଏଁ ନୌବୀରଙ୍କ ପରାକ୍ରମ ଦେଖିବେ ମହାମହିମ ।