ପୁରୀ:ଆଜି ଭାରତୀୟ ନେଭିର ନୌସେନା ଦିବସ । ପୁରୀ ସମୁଦ୍ର ଜଳରାଶିରେ ରଣ କୌଶଳ ଦେଖାଇବେ ନୌବୀର । ନୌସେନାର ଏହି ପରାକ୍ରମକୁ ଦେଖିବାକୁ ଉପସ୍ଥିତ ରହିବେ ତିନି ସେନାର ମୁଖ୍ୟ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରସ୍ତୁତି ସରିଛି ।
ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ । ଏହି କାର୍ଯ୍ୟକ୍ରମରେ ୧୫ଟି ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ୍ ସାମିଲ ହୋଇ ଯୁଦ୍ଧକୌଶଳ ଦେଖାଇବେ । INS ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସର୍ୟୁ, INS ଅରିହନ୍ତ, INS ସାତପୁରା ପ୍ରମୁଖ ନେଭି ଡେ’ ଉତ୍ସବରେ ସାମିଲ ହୋଇ ପରାକ୍ରମ ଦେଖାଇବେ ।
ସେହିପରି ହକ୍, ସି-କିଙ୍ଗ, ମିଗ୍-29 ଭଳି ଫାଇଟର ଜେଟ୍ ଓ ଚେତକ, MS-60 ହେଲିକପ୍ଟର ଦେଖାଇବେ ନୌସେନାର ବୀରତ୍ୱ । ଆଜି ଅପରାହ୍ଣ ୪ଟା ୦୭ରୁ ୫ଟା ୨୪ ପର୍ଯ୍ୟନ୍ତ ଚାଲିବ ନୌସେନାର ଆଖି ଝଲସା ସମର କୌଶଳ ପ୍ରଦର୍ଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ହେବେ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି । ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍ । ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା ମିଳିଛି ।