୪ ଦେଶରେ ଭୂକମ୍ପ: ଥରିଲା ଓଡ଼ିଶା ସମେତ ଭାରତର ୮ ରାଜ୍ୟ


ଭୁବନେଶ୍ବର: ଭାରତ ସମେତ ଚାରି ଦେଶରେ ଭୂକମ୍ପ । ଭାରତର ୮ ରାଜ୍ୟରେ ଭୂକମ୍ପ ଝଟକା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ଓଡିଶା ସମେତ ୮ ରାଜ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ ଓ ଉତ୍ତରପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ତିନୋଟି ରାଜ୍ୟରେ ଘଟିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ମାପ କରାଯାଇଥିଲା ।

ଆଜି ସକାଳୁ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୭ଟା ୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାୟ ୫ ରୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଏହା ଅନୁଭୂତ ହୋଇଛି । ଝଟ୍‌କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ।

ପ୍ରାୟ ସକାଳ ୭ଟା ବେଳେ ତେଲେଙ୍ଗାନାର ମୁଲୁଗ ଜିଲ୍ଲାରେ ଏକ ଭୂକମ୍ପ ହୋଇଥିଲା । ତେଲେଙ୍ଗାନା ବ୍ୟତୀତ ଛତିଶଗଡରେ ମଧ୍ୟ ଭୂମିକମ୍ପ ହୋଇଛି । ଉଭୟ ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରହିଥିଲା । ଛତିଶଗଡର ବିଜାପୁର, ସୁକମା ଓ ଜଗଦଲପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା । ବିଜାପୁରର ସମସ୍ତ ଚାରିଟି ବ୍ଲକରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ଡିସେମ୍ବର ୪ ତାରିଖ ସକାଳେ ଭାରତରେ ଏକ ଭୂକମ୍ପ ହୋଇଥିଲା। ଏହାପୂର୍ବରୁ ଗତ ୨୪ ଘଣ୍ଟା ମଧ୍ୟରେ ପୃଥିବୀର ଆହୁରି ୩ଟି ଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳେ ଉତ୍ତର ଫିଲିପାଇନ୍ସରେ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରହିଥିଲା । ଏହାପୂର୍ବରୁ ଆଫ୍ରିକାର ଦକ୍ଷିଣ-ପଶ୍ଚିମରେ ଏକ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ରହିଥିଲା ।

ଗୁଆମ ଦେଶରେ ମଧ୍ୟ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫ ରହିଥିଲା । ଭୂକମ୍ପର ପ୍ରଭାବ ଫିଲିପାଇନ୍ସର କୋଠା ଭାଙ୍ଗିଯାଇଛି । ଅନ୍ୟ ଦୁଇ ଦେଶରେ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ ।