ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ବଣୁଆ ହାତୀପଲ ଜନବସତି ମୁହାଁ ହୋଇଥିବା ଜଣାଯାଇଛି । ଅନେକ ସମୟରେ ହାତୀପଲ ବ୍ୟାପକ ଭାବେ ଧାନ ଫସଲ ନଷ୍ଟ କରିଦେଉଥିବା ମଧ୍ୟ ଜଣାପଡ଼ିଛି । ଗତ ସପ୍ତାହରେ ହାତୀପଲ ବହଲପଦର ପଞ୍ଚାୟତର ଅମରପାଲି ଠାରେ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ । ଦିନକ ଆଗରୁ ବୀରମହାରାଜପୁର ଥାନା ଅନ୍ତର୍ଗତ ବରଘାଟ , ଗୌଘାଟ , ଖଇରମାଲ , ବ୍ରାହ୍ମଣୀପାଲି , ମସିଣାପାଲି , କୁଞ୍ଜାପାଲି ଆଦି ଗ୍ରାମରେ ହାତୀଙ୍କ ଚଳପ୍ରଚଳ ଜଣା ପଡିଥିଲା । ବନବିଭାଗ ପକ୍ଷରୁ ହାତୀପଲ ଙ୍କ ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଡ୍ରୋନ କ୍ୟା ମେରା ଯୋଗେ ଟ୍ରାକିଂ ଜାରି ରହିଥିବା ଜଣାପଡିଛି । ଗତ ରାତି ପଧାନପାଳି , ଜୟପୁର , ଜଙ୍ଗଲ ଦେଇ ପୁଳେଶ୍ଵର , ବାରଝୁଲା , କଦଳୀପାଳି ଦେଇ ସନ୍ଧ୍ୟାରେ ହାତୀପଲ ତେଲିପାଲି ଜଙ୍ଗଲରେ ଥିବାବେଳେ ଏମାନଙ୍କୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ହାତୀପଲ ଜନବସତି ମୁହାଁ ହୋଇଥିବାରୁ ତେଲିପାଲି ଫିଡ଼ର ର କଦଳୀପାଳି, ତେଲିପାଲି , ବଲିପାଲି , କେନଝରିଆପାଳି ବିଦ୍ୟୁତ ସେବା ବନ୍ଦ ଅଛି । ଉକ୍ତ ହାତୀପଲରେ ୨୧ଟି ହାତୀ ଥିବା କୁହାଯାଉଛି ।
ବୀରମହାରାଜପୁର ଉପାନ୍ତ ଅଞ୍ଚଳରେ ହାତୀ ପଲ ଙ୍କ ଉପଦ୍ରବ
