୫ ଦିନିଆ ଗସ୍ତ ସାରି ଆଜି ଦିଲ୍ଲୀ ଫେରିଯିବେ ମହାମହିମ ରାଷ୍ଟ୍ରପତି


ଭୁବନେଶ୍ବର: ଆଜି ସରୁଛି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡ଼ିଶା ଗସ୍ତ । ଆଜି ଅପରାହ୍ଣରେ ଦିଲ୍ଲୀ ଫେରିଯିବେ । ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ବାଙ୍ଗିରିପୋଷି ରେଳ ଷ୍ଟେସନରେ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ନୂତନ ରେଳ ଲାଇନ୍, ବାଦାମପାହାଡ- କେନ୍ଦୁଝରଗଡ଼ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । ଏହି ଲାଇନ୍ ଆଦିବାସୀ ବହୁଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ସଂଯୋଗ କରିବ । ଯାହା ଖଣି ବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ । ଏଥିସହ ଆଭାସି ଜରିଆରେ ରାଇରଙ୍ଗପୁର ସହରରେ ତିନୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । ଜନଜାତି ଅନୁସନ୍ଧାନ ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଗତକାଲି ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଯାଇଥିଲେ । ମହୁଲଡିହା ଘରେ ଗତକାଲି ରାତିରେ ରହିଥିଲେ ମହାମହିମ । ନିଜ ଲୋକଙ୍କୁ ପାଖରେ ପାଇଁ ବେଶ ଖୁସି ପ୍ରକାଶ କରିଥିଲେ ରାଷ୍ଟ୍ରପତି । ଗାଁ ଝିଅଙ୍କୁ ପାଖରେ ପାଇ ଉପର ବେଡ଼ାବାସୀ ଖୁସି ହୋଇଛନ୍ତି ।