ମାଆ କାଳୀଙ୍କ ଦର୍ଶନ ଆଶାରେ ନିଜକୁ ବଳି ଚଢ଼ାଇ ଦେଲେ ପୂଜକ


ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରଣଶସୀରେ ନିଜକୁ ଜଣେ ପୂଜକ ବଳି ପକାଇ ଦେଇଛନ୍ତି । ମାଆ କାଳୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସେ ନିଜ ଗଳା କାଟି ଦେଇ ବଳି ଚଢ଼ିଛନ୍ତି । ୨୪ ଘଣ୍ଟା ନିରନ୍ତର ପୂଜା ସତ୍ତ୍ୱେ ମାଆ ଦର୍ଶନ ନଦେବାରୁ ସେ ନିରାଶ ହୋଇ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଗଳା କାଟି ଦେଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୋଲିସ ସୂଚନା ଅନୁସାରେ, ବାରଣାସୀ ସହରର ଗାଈ ଘାଟ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ପୂଜକ ଅମିତ ଶର୍ମା (୪୦) ଘରେ ଦେବୀଙ୍କ ଆରାଧନା କରୁଥିବା ସମୟରେ ଏକ ଛୁରୀ ସାହାଯ୍ୟରେ ନିଜ ଗଳା କାଟି ଦେଇଛନ୍ତି । ନିଜ ବେକ କାଟିବା ପୂର୍ବରୁ ସେ ଦେବୀ କାଳୀଙ୍କୁ ଡାକିଥିଲେ । ମା’ କାଳୀ ଦର୍ଶନ ଦିଅ ବୋଲି କହି କହି ସେ ଚିତ୍କାର କରୁଥିବା ଶୁଣିଥିବା ରୋଷେଇ ଘରେ ଥିବା ତାଙ୍କ ପତ୍ନୀ ଜୁଲି କହିଛନ୍ତି । ପୂଜକ ଅମିତଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀଙ୍କ ସମେତ ସାହି ପଡ଼ିଶା ଲୋକ ମଧ୍ୟ ସେଠାକୁ ଧାଇଁ ଆସିଥିଲେ । ସମସ୍ତେ ପହଞ୍ଚିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ନିଜ ଗଳା କାଟି ସେଠାରେ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାକୁ ନେଇ ସ୍ଥାନୀୟ ସହକାରୀ ପୋଲିସ କମିଶନର ଈଶାନ ସୋନୀ କହିଛନ୍ତି, ଦେବୀ କାଳୀ ତାଙ୍କୁ ଦର୍ଶନ ଦେବେ ବୋଲି ପୂଜକ ଜଣକ ଜିଦ୍ ଧରିଥିଲେ । ଯେତେବେଳେ ତାହା ଘଟିଲା ନାହିଁ, ସେ ବିବ୍ରତ ହୋଇ ତାଙ୍କ ଗଳା କାଟିଦେଲେ । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ଟ୍ରମା ସେଣ୍ଟରକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଭଡ଼ାରେ ରହୁଥିବା ଘରର ମାଲିକଙ୍କ କହିବା ଅନୁଯାୟୀ ପୂଜାରୀ ଅମିତ ଶର୍ମା ପ୍ରାୟ ୭ ବର୍ଷ ହେବ ସେଠାରେ ରହୁଥିଲେ । ସେ କାଶୀ ବିଶ୍ୱନାଥ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବା ସହ ଘରେ ମଧ୍ୟ ପୂଜାପାଠ କରନ୍ତି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।