ଜାମିନ ମିଳିବା ପରେ ଜେଲରୁ ବାହାରିଲେ ଅଲୁ ଅର୍ଜୁନ


ହାଇଦ୍ରାବାଦ: ଦଳାଚକଟା ଘଟଣାରେ ଗତକାଲି ଗିରଫ କରେ ଜେଲ ଯାଇଥିବା ପୁଷ୍ପା ଷ୍ଟାରର ତଥା ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଜେଲରୁ ବାହାରିଛନ୍ତି । ଗତକାଲି ରାତି ସେ ଜେଲରେ କାଟିବା ପରେ ଆଜି ସକାଳୁ ମୁକୁଳିଛନ୍ତି । ହାଇଦ୍ରାବାଦ ସ୍ଥିତ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ କାଲି ରାତି କାଟିଥିଲେ ଅଲୁ ।

ହାଇକୋର୍ଟରୁ ଜାମିନ ମିଳିବା ସତ୍ତ୍ୱେ ଗତକାଲି କାହିଁକି ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇ ନଥିଲା, ତାକୁ ନେଇ ପ୍ରଶ୍ନ ଉଠିଛି । ଅଲୁଙ୍କ ଓକିଲ କହିଛନ୍ତି, ଜେଲ୍ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଅର୍ଡର କପି ପାଇଥିଲେ ମଧ୍ୟ ତାଙ୍କୁ ରିଲିଜ କରି ନଥିଲେ । ତାଙ୍କୁ ଏମିତି ଅଟକ ରଖାଯିବା ବେଆଇନ । ଏହା ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ।

ଜେଲ୍‌ରୁ ବାହାରିବା ପରେ ଅଲୁ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ । ଆଇନକୁ ସମ୍ମାନ ଦିଏ । ମୁଁ ସମସ୍ତ ପ୍ରକାର ସହଯୋଗ କରିବି ।

ଏହା ସହିତ ସେ ପୁଣି ଥରେ ସେହି ମୃତ ମହିଳାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ମୁଁ ପୁଣି ଥରେ ସେହି ପରିବାରକୁ ମୋର ସମବେଦନା ଜଣାଉଛି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଥିଲା । ଯାହା ଘଟିଲା, ସେଥିପାଇଁ ଆମେ ଦୁଃଖିତ । 

ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଜଣାଶୁଣା ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ ଅଲୁ ଅର୍ଜୁନ । ତାଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କର ପ୍ରବଳ ଭିଡ଼ ଜମି ଥିଲା । ଫଳରେ ଠେଲାପେଲା ଓ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ଓ ତାଙ୍କ ନାବାଳକ ପୁଅ ଆହତ ହୋଇଥିଲେ। 

ଏହି ଘଟଣା ପରେ ମୃତ ମହିଳା ରେବତୀଙ୍କ ସ୍ୱାମୀ ଭାସ୍କର ଥାନାରେ ଅଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା । ଗତକାଲି ପୋଲିସ ଅଲୁ ଅର୍ଜୁନଙ୍କୁ ଗିରଫ କରି ନାମପଲ୍ଲୀ କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ତେବେ ଏହାର କିଛି ସମୟ ପରେ ହାଇକୋର୍ଟ ଅଲୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । 

ଘଟଣା ଘଟିବା ଦିନ ସନ୍ଧ୍ୟା ଥିଏଟରକୁ ଅଲୁ ଅର୍ଜୁନ ଆସିବେ ବୋଲି ଥିଏଟର କର୍ତ୍ତୃପକ୍ଷ ସୂଚନା ଦେଇ ନଥିଲେ ବୋଲି ପୋଲିସ ଅଭିଯୋଗ କରିଛି । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି । ଗତକାଲି ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ପୋଲିସ ତା’ କାମ କରୁଛି । ଅଲୁ ଅର୍ଜୁନ ପୋଲିସ କିମ୍ବା ଥିଏଟର କର୍ତ୍ତୃପକ୍ଷଙ୍କୁ ନଜଣାଇ ସେଠାରେ (ସନ୍ଧ୍ୟା ଥିଏଟରରେ) ପହଞ୍ଚିଥିଲେ । ତେଣୁ ଦଳାଚକଟା ସ୍ଥିତି ଉପୁଜି ଥିଲା । 

ମୁଖ୍ୟମନ୍ତ୍ରୀ କହିଥିଲେ, ଅଲୁ ଅର୍ଜୁନ କେବଳ ଆସି ଫିଲ୍ମ ଦେଖି ଚାଲି ଯାଇ ନଥିଲେ । ସେ ତାଙ୍କ କାରର ସନ୍‌ ରୁଫ୍‌ରେ ବାହାରକୁ ଆସିଥିଲେ । ଲୋକଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ସେଥିପାଇଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ସେ ଆହୁରି କହିଥିଲେ ଯେ ଅଲୁ ଅର୍ଜୁନଙ୍କ ପତ୍ନୀ ଅଲ୍ଲୁ ସ୍ନେହା ରେଡ୍ଡୀ ତାଙ୍କର ସଂପର୍କୀୟ । କିନ୍ତୁ ସେ ଏହି ଘଟଣାରେ ତାଙ୍କ ପାରିବାରିକ ସଂପର୍କକୁ ପଶିବାକୁ ଦେଇ ନଥିଲେ । ଅଲୁ ଗିରଫ ହେବା ଘଟଣାକୁ ନେଇ ବହୁତ ଚର୍ଚ୍ଚା ହେଉଛି । କିନ୍ତୁ ଦଳାଚକଟାରେ ମରିଥିବା ମହିଳା କିମ୍ବା ତାଙ୍କ ପରିବାର ଲୋକଙ୍କ ସଂପର୍କରେ କେହି କିଛି କହୁ ନାହାନ୍ତି । ମୃତ ମହିଳାଙ୍କ ନାବାଳକ ପୁଅ କୋମାକୁ ଚାଲି ଯାଇଛି । ସେ ଯେତେବେଳେ ସୁସ୍ଥ ହେବ, ବିନା ମା’ରେ ବଞ୍ଚିବ ।

ଅନ୍ୟପକ୍ଷରେ ଗତକାଲି ଏକ ଚିଠି ସାମ୍ନାକୁ ଆସିଥିଲା । ସନ୍ଧ୍ୟା ଥିଏଟର ପକ୍ଷରୁ ଏହି ଚିଠିକୁ ୨ ତାରିଖରେ ଚିକ୍କଡପଲ୍ଲୀ ଥାନାକୁ ଦିଆଯାଇଥିଲା ବୋଲି କୁହାଯାଉଛି । ସେଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ଫିଲ୍ମ ଦେଖିବାକୁ ଅଲୁ ଅର୍ଜୁନ ଓ ପ୍ରଡକ୍ସନ ୟୁନିଟର ଅନ୍ୟ ସମସ୍ତ ସଦସ୍ୟ ଏବଂ ଭିଆଇପିମାନେ ଆସୁଛନ୍ତି । ତେଣୁ ଫ୍ୟାନ୍‌ଙ୍କ ପ୍ରବଳ ଭିଡ଼ ଜମି ପାରେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସନ୍ଧ୍ୟା ଥିଏଟର ପକ୍ଷରୁ ପୋଲିସକୁ ଅନୁରୋଧ କରାଯାଇଥିଲା । ତେବେ ଏହି ଚିଠି ସତ ନା ମିଛ, ତାହା ଜଣାପଡ଼ିନାହିଁ ।