ଏଲପିଜି ଓ ସିଏନଜି ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା; ୫ ଜୀବନ୍ତ ଦଗ୍ଧ, ଜଳିଗଲା ୪୦ ଗାଡ଼ି


ଜୟପୁର: ରାଜସ୍ଥାନ ଭାନ୍‌କ୍ରୋଟା ସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା ସହ ଅଗ୍ନିକାଣ୍ଡ । ଯେଉଁଥିରେ ୫ ଜଣ ଜୀବନ ଜଳି ଯାଇଥିବା ବେଳେ ୪୦ରୁ ଅଧିକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ପେଟ୍ରୋଲ ପମ୍ପ ନିକଟରେ ଏକ ଏଲପିଜି ବୋଝେଇ ଟ୍ରକ୍‌ ଓ ସିଏନଜି ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ପରେ ଭୀଷଣ ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାରେ ୧୦ରୁ ଅଧିକ ଲୋକ ପୋଡି ହୋଇ ଗୁରୁତର ହୋଇଛନ୍ତ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳ ପ୍ରାୟ ସାଢ଼େ ୫ଟାରେ ଭାନକ୍ରୋଟାରେ ଏକ ଏଲପିଜି ବୋଝେଇ ଟ୍ରକ୍‌ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ସିଏନଜି ଟ୍ୟାଙ୍କରରେ ଜୋରଦାର ବ୍ଲାଷ୍ଟ ହେବା ସହ ଆଖପାଖରେ ଥିବା ଗାଡ଼ି ଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା ।

ପାଖରେ ଥିବା ଏକ ଗାଡ଼ି ଗୋଦାମରେ ନିଆଁ ଲାଗିଯିବା ଫଳରେ ସେଠାରେ ଥିବା ଗାଡ଼ିଗୁଡ଼ିକ ଆଖି ପିଛୁଳାକେ ଜଳିବାରେ ଲାଗିଥିଲା । ଲଗାତର ଭାବେ ବ୍ଲାଷ୍ଟ ହେବାରୁ ଆଖପାଖ ଅଞ୍ଚଳରୁ ନିଆଁ ବ୍ୟାପି ଯାଇଛି । ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିବା ବେଳେ ଯାତ୍ରୀମାନେ ପ୍ରାଣ ବିକଳରେ ବାହାରି ନିଜ ଜୀବନ ବଞ୍ଚାଇଥିବା ଜଣାଯାଇଛି ।

ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୨୨ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିସହ ଗୁରୁତରଙ୍କୁ ହସ୍ପିଟାଲରେ ପହଞ୍ଚାଇବା ନିମନ୍ତେ ୫ଟି ଆମ୍ବୁଲାନ୍ସ ଲାଗିଛି । ଦୁର୍ଘଟଣାରେ ଆହୁରି ଏକାଧିକ ଲୋକ ଗୁରୁତର ହୋଇଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଉଦ୍ଧାର ନିମନ୍ତେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଏଥିରେ ଫାୟାର ଫାଇଟର୍ସ, ସିଭିଲ ଡିଫେନ୍ସ ପୋଲିସ୍‌ ଓ ସ୍ଥାନୀୟ ଲୋକେ ଲାଗିଛନ୍ତି । ଆଖପାଖରେ ଥିବା ଗ୍ୟାସ୍‌ ଟ୍ୟାଙ୍କରଗୁଡ଼ିକ ନିଆଁ ଦ୍ୱାରା କବଳିତ ହେବାରୁ ଏହାର ଭୟାବହତା ବଢ଼ିବାରେ ଲାଗିଛି । ଏଥିଯୋଗୁଁ ଜୟପୁର ଏକ୍ସପ୍ରେସ୍‌ ହାଇୱେ ପୂରା ଜାମ୍‌ ହୋଇଯାଇଛି । SMS ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।