ବିଦ୍ୟୁତ୍ ଚୋରି କରୁଥିବା ସାଂସଦଙ୍କ ଉପରେ ୧.୯୧ କୋଟି ଟଙ୍କା ଫାଇନ୍


ସମ୍ଭଲ: ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ବିଦ୍ୟୁତ ଚୋରି ଅଭିଯୋଗରେ ୧ କୋଟି ୯୧ ଲକ୍ଷ ଟଙ୍କା ଜରିମାନା । ଘରେ ରହିଛି ଟିଭି, ଏସି, ଫ୍ୟାନ୍‌, ଲାଇଟ୍‌ ସହ ଅତ୍ୟାଧୁନିକ ବୈଦ୍ୟୁତିକ ସରଞ୍ଜାମ । ହେଲେ ମିଟର ରିଡିଂ ଆସୁଥିଲା ଜିରୋ । ଏପରି ଭାବେ ବିଦ୍ୟୁତ୍‌ ଚୋରି କରିବା ସମାବବାଦୀ ପାର୍ଟି ସାଂସଦଙ୍କ ଜିୟା ଉର ରେହମାନଙ୍କୁ ପଡିଛି ମହଙ୍ଗା । ଜଣେ ସାଂସଦ ହୋଇ ଏପରି କାମ କରୁଥିବା ରେହମାନଙ୍କ ଘରର ବିଜୁଳି କାଟି ଦିଆଯାଇଛି । କେବଳ ସେତିକି ନୁହେଁ, ରେହମାନଙ୍କ ସମେତ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି ।

ଗତକାଲି ସକାଳୁ ପୋଲିସ ଫୋର୍ସ ସହ ବିଦ୍ୟୁତ୍‌ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚିଥିଲା । ବିଭାଗୀୟ ଅଧିକାରୀ ନୂଆ କରି ଲାଗିଥିବା ସ୍ମାର୍ଟ ମିଟର ରିଡିଂକୁ ଯାଞ୍ଚ କରି ଯାହା ଦେଖିବାକୁ ପାଇଥିଲେ ସେମାନେ ତାଜୁବ ହୋଇ ଯାଇଥିଲେ ।

ସାଂସଦଙ୍କ ଘରେ ଲାଗିଥିବା ଦୁଇଟି ମିଟରରେ ଟାମ୍ପରିଂର ପ୍ରମାଣ ମିଳିଥିବା ବେଳେ ଯାଞ୍ଚ ପାଇଁ ଯାଇଥିବା ପୋଲିସ ଓ ବିଦ୍ୟୁତ୍‌ ବିଭାଗ ଟିମକୁ ସାଂସଦ ଧମକାଇଥିବା ଅଭିଯୋଗ ହୋଇଛି । ଏହାପରେ ସାଂସଦଙ୍କ ନାଁରେ ଧାରା ୧୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି । କେବଳ ସାଂସଦ ନୁହଁନ୍ତି, ଡ୍ୟୁଟିରେ ଯାଇଥିବା ଅଧିକାରୀଙ୍କୁ ଧମକାଇବା ଅଭିଯୋଗରେ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି ।

ପୂର୍ବରୁ ବିଦ୍ୟୁତ ବିଭାଗ ଅଧିକାରୀ ସାଂସଦଙ୍କ ଘରେ ଲାଗିଥିବା ପୁରୁଣା ମିଟରକୁ ହଟାଇ ତାକୁ ସିଲ୍ କରିଥିଲେ । ତାହାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠା ଯାଇଛି । ଯାଞ୍ଚରୁ ଜଣାପଡ଼ିଥିଲା ସାଂସଦଙ୍କ ଘରର ମିଟର ରିଡିଂ ବର୍ଷ ବର୍ଷ ହେଲା ଜିରୋ ଥିଲା ।

ଏହାପରେ ତାଙ୍କ ଘରର ବିଦ୍ୟୁତ୍ ମିଟରକୁ ଦୁଇ ଦିନ ତଳେ ବଦଳାଇ ନୂଆ ଲଗାଯାଇଥିଲା । କେବଳ ସେତିକି ନୁହେଁ, ସାଂସଦଙ୍କ ଘରେ କେତେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯାଉଛି ତାହା ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଯାଞ୍ଚ କରିଥିଲେ ।

ସମ୍ଭଲରେ ମସଜିଦ ଓ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିଲା । ଏଠାରେ ହୋଇଥିବା ହିଂସା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି । ଗତ ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରିଛି । ଏହା ସହିତ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।