ନୂଆଦିଲ୍ଲୀ: ବୟସ ୭୦ ବର୍ଷ । ଆଉ ଠକେଇରେ ହାସଲ କରିଛନ୍ତି ମାଷ୍ଟର ଡିଗ୍ରୀ । ଏହି ବୟସରେ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ ନକରି ଟଙ୍କା ଲୋକେରେ ଖାଲି ପଡ଼ିଥିବା ଏକ ଫ୍ଲାଟକୁ ବିକ୍ରି କରିଦେଲେ । ଆଉ ଧରାପଡିବା ପରେ ଦୁଇ ଜଣଙ୍କ ସହ ବନ୍ଧା ହେଲେ । ଘଟଣା ଘଟିଚି ଦିଲ୍ଲୀରେ । ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ତାଙ୍କ ଫ୍ଲାଟକୁ ଜାଲ କାଗଜପତ୍ର କରି ୧ କୋଟି ୮୫ ଲକ୍ଷ ଟଙ୍କାରେ ବିକି କରିବା ଅଭିଯୋଗରେ ତିନି ଜଣ ଗିରଫ ହୋଇଛନ୍ତି ।
ଜଣେ ଅବସରପ୍ରାପ୍ତ ଅଧିକାରୀ ଦ୍ୱାରକା ଅଞ୍ଚଳରେ ପତ୍ନୀଙ୍କ ସହ ରହୁଥିଲେ । ୫ ବର୍ଷ ତଳେ ପତ୍ନୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ କିଛି ମାସ ତଳେ ତାଙ୍କ ମୃତ୍ୟୁ ଘଟିଥିଲା । ଫଳରେ ତାଙ୍କ ଫ୍ଲାଟଟି ଖାଲି ପଡ଼ିଥିଲା । ଏହା ଉପରେ କିଛି ଲୋକ ନଜର ପକାଇଥିଲେ । ସେମାନେ ଉକ୍ତ ଫ୍ଲାଟର ଜାଲ କାଗଜପତ୍ର ପ୍ରସ୍ତୁତ କରିଥିଲେ । ଏହାପରେ ସନି ଯାଦବ ନାମକ ବ୍ୟକ୍ତିଙ୍କୁ ସେମାନେ ଉକ୍ତ ଫ୍ଲାଟକୁ ୧ କୋଟି ୮୫ ଲକ୍ଷ ଟଙ୍କାରେ ବିକି ଦେଇଥିଲେ ।
ଗତ ଅକ୍ଟୋବର ମାସରେ ଏନେଇ ଜଣେ ବ୍ୟକ୍ତି ଦ୍ୱାରକା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଗିରଫ ୩ ଜଣ ହେଲେ ମାଷ୍ଟର ମାଇଣ୍ଡ ପବନଦୀପ, ସରବଜିତ ଓ ତାଙ୍କ ୭୦ ବର୍ଷୀୟ ମା’ ରାଜେନ୍ଦ୍ର କୌର ।
ପୋଲିସ୍ ସୂଚନା ଅନୁଯାୟୀ, ଏହି ମାମଲାର ମାଷ୍ଟର ମାଇଣ୍ଡ ପବନଦୀପ ପୂର୍ବରୁ ଏକ ହତ୍ୟା ମାମଲାରେ ଗିରଫ ହୋଇଥିବା ବେଳେ ଜାଲି କାଗଜପତ୍ର କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ଦ୍ୱାରକା ଅଞ୍ଚଳରେ ଏକ ଫ୍ଲାଟ ଖାଲି ଥିବା ସୂଚନା ପାଇ ତାହାର ଜାଲ କାଗଜପତ୍ର ପ୍ରସ୍ତୁତ କରିଥିଲେ । ଉକ୍ତ କାଗଜପତ୍ରରେ ସେ ସରବଜିତଙ୍କ ମା’ ରାଜେନ୍ଦ୍ର କୌରଙ୍କୁ ଉକ୍ତ ଫ୍ଲାଟର ମାଲିକ ଭାବେ ଦେଖାଇ ତାହାକୁ ୧ କୋଟି ୮୫ ଲକ୍ଷରେ ବିକ୍ରି କରିଥିଲେ । ପୋଲିସ୍ ସରବଜିତଙ୍କୁ ଗିରଫ କରିଥିବା ସୂଚନା ପାଇ ପବନଦୀପ ଓ ରାଜେନ୍ଦ୍ର କୌର ଫେରାର ହୋଇ ଯାଇଥିଲେ । ପୋଲିସ୍ ପବନଦୀପଙ୍କୁ ହିମାଚଳ ପ୍ରଦେଶରୁ ଗିରଫ କରିଥିବା ବେଳେ ରାଜେନ୍ଦ୍ର କୌରଙ୍କୁ ଦିଲ୍ଲୀରୁ ଗିରଫ କରିଛି ।