ଦିଲ୍ଲୀ: କ୍ୟାବ କୁବ କରି ଭଡ଼ାରେ ଆସିଲେ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଭଡ଼ା ବାବଦକୁ ୪ ଶହ ଟଙ୍କା ଦେବାକୁ ମନା କଲେ । ଏହାକୁ ନେଇ ଯାତ୍ରୀ ଓ କ୍ୟାବ୍ ଡ୍ରାଇଭରଙ୍କ ମଧ୍ୟରେ ହେଲା ବଚସା । ଉତ୍ତ୍ୟକ୍ତ ତିନି ଯାତ୍ରୀ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ନିଜ ସାଙ୍ଗଙ୍କୁ ବି ଡକାଇଲେ । ଯାତ୍ରୀଙ୍କ ଅନ୍ୟ ଜଣେ ସାଙ୍ଗ ଓ ଜଣେ ନାବାଳକ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ପୁଣି ମାଡ଼ ଦେଲେ । ଏପରିକି ନାବାଳକ ଜଣଙ୍କ ଡ୍ରାଇଭରଙ୍କୁ ଛୁରୀ ଭୁଷୀ ଦେବା ପରେ ସେମାନେ ଫେରାର ହୋଇଗଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରୁ ଉଦ୍ଧାର ଡ୍ରାଇଭରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି । ଘଟଣା ଗତ ୧୮ ତାରିଖରେ ଦିଲ୍ଲୀର ସୋନିଆ ବିହାରରେ ଘଟିଛି । ମୃତ ଡ୍ରାଇଭର ହେଲେ ସନ୍ଦୀପ ।
ପୋଲିସ ସୂଚନା ଅନୁସାରେ, ସନ୍ଦୀପ ରାପିଡୋ ପାଇଁ ଟ୍ୟାକ୍ସି ଚଳାଉଥିଲେ । ୧୮ ତାରିଖ ବିଳମ୍ବିତ ରାତିରେ ସନ୍ଦୀପ ସୋନିଆ ବିହାର ପୁସ୍ତା ନିକଟରେ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ମୃତ୍ୟୁ ପୂର୍ବରୁ ସନ୍ଦୀପ ପୋଲିସକୁ କହିଥିଲେ, ସେ ନୋଏଡାରୁ ତିନିଜଣ ଯାତ୍ରୀ ଦୀପାଂଶୁ ଓରଫ ଅଶୁ, ରାହୁଲ ଏବଂ ମୟଙ୍କଙ୍କୁ ନିଜ କାର୍ରେ ଭଡ଼ାରେ ଆଣିଥିଲେ । ସୋନିଆ ବିହାରର ପୁସ୍ତା-୨ରେ ପହଞ୍ଚିବା ପରେ ସେମାନେ ଭଡା ବାବଦକୁ ୪୦୦ ଟଙ୍କା ଦେବାକୁ ରାଜି ହୋଇ ନଥିଲେ । ଟଙ୍କା ବଦଳରେ ଓଲଟି ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଝଗଡ଼ା ବେଳେ ଏହି ତିନି ଯାତ୍ରୀଙ୍କ ଅନ୍ୟ ଜଣେ ସାଥୀ ନିଖିଲ ଓ ଜଣେ ନାବାଳକ ଆସି କ୍ୟାବ୍ ଡ୍ରାଇଭରଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଥିଲେ । ସନ୍ଦୀପଙ୍କ ପେଟ ଓ ମୁଣ୍ଡରେ ଛୁରୀ ଭୁଷି ଦେଇଥିଲେ । ଏହାପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ରାସ୍ତାକାଡ଼ରେ ଛାଡି ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଚଲାଇଛି ।