ଭୋପାଲ: ନିର୍ବନ୍ଧ ସରିଥିଲା । କିଛିଦିନ ପରେ ହୋଇଥାନ୍ତି ବାହାଘର । ହେଲେ ଝିଅଘର ଲୋକେ ଖବର ପାଇଲେ ଜ୍ବାଇଁ ନାଁରେ ବିଭିନ୍ନ ସ୍ଥାନରେ ରହିଛି ଏକାଧିକ ମାମଲା । ତେଣୁ ବାହାଘର ଭାଙ୍ଗି ଦେଲେ । ଆଉ ଏତିଣେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣଙ୍କ ଯୁବତୀଙ୍କ ଘରେ ପଶି ତାଙ୍କୁ ଅପହରଣ କରିନେଲେ । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଏବଂ ତାଙ୍କ ସହଯୋଗୀଙ୍କୁ ଖୋଜୁଛି ପୋଲିସ୍ ।
ତଥ୍ୟ ଅନୁସାରେ, ୩ ମାସ ପୂର୍ବେ ଇମ୍ରାନଙ୍କର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ସହ ନିର୍ବନ୍ଧ ହୋଇଥିଲା । ମାତ୍ର ଇମ୍ରାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ଥିବା ଖବର ପାଇ ଯୁବତୀଙ୍କ ପରିବାର ଲୋକେ ଏହି ବିବାହକୁ ଭାଙ୍ଗି ଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଇମ୍ରାନ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ନିଜର କିଛି ସହଯୋଗୀଙ୍କ ସହ ଏକ ଅଟୋରେ ଯୁବତୀଙ୍କ ଘରକୁ ଯାଇଥିଲେ । ସାଙ୍ଗମାନେ ବାହାରେ ଥିବା ବେଳେ ଇମ୍ରାନ ଭିତରକୁ ଯାଇ ଯୁବତୀଙ୍କୁ ଉଠାଇ ଆଣିଥିଲେ । ଏହାପରେ ଅଟୋରେ ତାଙ୍କୁ ଧରି ସମସ୍ତେ ଫେରାର ହୋଇ ଯାଇଥିଲେ ।