ଉଲୁଣ୍ଡା : (ସୌମିତ୍ରି ମେହେର) ଜଙ୍ଗଲୀ ହାତୀ ସହ ସେଲଫି ନେଉଥିଲେ । କିନ୍ତୁ ଗଜରାଜଙ୍କ ସହ ମଜା କରୁ କରୁ ସଜା ପାଇଛନ୍ତି ଜଣେ ଯୁବକ । ବନବିଭାଗ କର୍ମଚାରୀଙ୍କ କଥା ନଶୁଣି ନିଜ ପାଇଁ ନିଜେ ବିପଦ ଡାକି ଆଣିଥିଲେ । ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଂଚଳରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଜାରି ରହିଛି । ବୁଧବାର ସକାଳୁ ସିଣ୍ଢୋଲ ଫରେଷ୍ଟ ବିଟ ଅନ୍ତର୍ଗତ ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତାର କେଉଟିପାଲି ନାଳ ନିକଟରେ ୨୧ ଟିକିଆ ହାତୀ ପଲ ରହିଥିଲେ । ଉକ୍ତ ସମୟରେ କୁଦପାଳି ଗ୍ରାମର ସୁଶିଲ ବାଘ ଏକ ବାଇକ ଯୋଗେ କୌଣସି କାମରେ ଅଇଁଲାଛାଟକୁ ଆସୁଥିବା ବେଳେ ଉକ୍ତ ସ୍ଥାନରେ ହାତୀ ଥିବା ଜାଣି ଅଟକିଥିଲେ । ହାତୀ ଦେଖିବା ପାଇଁ ଲୋକଙ୍କର ଭିଡ ଜମିଥିବା ବେଳେ ହାତୀ ସହିତ ସେଲଫି ନେବା ପାଇଁ ସୁଶିଲ ହାତୀର ଅତି ନିକଟତର ହୋଇ ଯାଇଥିଲେ । ଫଳରେ ଏକ ହାତୀ ସୁଣ୍ଢ ସାହାଯ୍ୟରେ ସୁଶିଲଙ୍କୁ ଆକ୍ରମଣ କରିଥିଲା । ଫଳରେ ତଳେ ପଡିଯାଇ ସୁଶିଲ ଗୁରୁତର ଆହତ ହୋଇଥିଲେ । ବନବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ସୁଶିଲଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିବା ଜଣାପଡିଛି । ଏନେଇ ଉଲୁଣ୍ଡା ରେଞ୍ଜର ସଂଜିବ ରାଉତଙ୍କୁ ପଚାରିବାରୁ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଉପସ୍ଥିତ ରହି ହାତୀ ପାଖକୁ ନଯିବା ପାଇଁ ବାରଣ କରୁଥିଲେ । ମାତ୍ର ସୁଶିଲ ସେମାନଙ୍କ କଥା ନଶୁଣି ହାତୀର ଅତି ନିକଟକୁ ଚାଲିଯିବାରୁ ଏଭଳି ହୋଇଥିବା ପ୍ରକାଶ କରିଛନ୍ତି । ତେବେ ବୁଧବାର ରାତି ପ୍ରାୟ ୯ ଟା ପର୍ଯ୍ୟନ୍ତ ଉକ୍ତ ଅଂଚଳରେ ହାତୀ ପଲ ରହିଥିବା ବେଳେ ଉପଦ୍ରବ ଜାରି ରଖିଛନ୍ତି । ହାତୀପଲରେ ୩ ଟି ଶାବକ, ୩ ଟି ଦନ୍ତା ସମେତ ସମୁଦାୟ ୨୧ ଟି ହାତୀ ରହିଥିବା ଜଣାପଡିଛି । ତେବେ ହାତୀ ଶାବକ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ହାତୀ ହିଂସ୍ର ହୋଇ ଆକ୍ରମଣ କରିଥିବା ରେଞ୍ଜର ପ୍ରକାଶ କରିଛନ୍ତି ।