ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ


ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ପରଲୋକ । ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ୯୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେ ଏହା କେବେ ଓ କେଉଁଠି ହେବ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନି ।

ସିଂହଙ୍କ ପରଲୋକରେ ଆସନ୍ତା ୭ ଦିନ ପାଇଁ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛି କଂଗ୍ରେସ । ମନମୋହନଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବାରୁ ଚଳିତବର୍ଷ ଦଳର ପ୍ରତିଷ୍ଠା ଦିବସ ପାଳନ ନକରିବାକୁ ଦଳ ନିଷ୍ପତ୍ତି ନେଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହି ସମୟ ମଧ୍ୟରେ ଦଳର ପତାକା ଅର୍ଦ୍ଧନତ ଅବସ୍ଥାରେ ରହିବ । ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ଦେଶର ଅର୍ଥମନ୍ତ୍ରୀ ଥିଲେ । ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ । ଭାରତୀୟ ଅର୍ଥନୀତିକୁ ସେ ନୂଆ ଦିଗ ଦେଇଥିଲେ ।