ମନମୋହନଙ୍କ ନା ଥିଲା କାର, ନା କିଣିଛନ୍ତି ଜମିବାଡ଼ି


ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଦେଶର ଅର୍ଥନୀତିକୁ ନୂଆ ଦିଗ ଦେଖାଇଥିବା ସ୍ବର୍ଗତ ମନମୋହନ ଅତ୍ୟନ୍ତ ସାଧାରଣ ଜୀବନ ଅତିବାହିତ କରୁଥିଲେ । ନିଜ ଚାକିରି ଜୀବନ କାଳରେ ସେ ଅର୍ଥନୀତିଜ୍ଞ ଭାବେ କାମ କରିବା ସହ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ଆସୀନ ହୋଇ ପାରିଥିଲେ । ଏହାପରେ ସେ ଦେଶର ଅର୍ଥମନ୍ତ୍ରୀ ସହ ଦୁଇ ଥର ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ଏତେ କ୍ଷମତାରେ ଥାଇ ବି ମନମୋହନଙ୍କ ମୋଟ ସମ୍ପତ୍ତି କେତେ ଶୁଣିଲେ ଆପଣ ଚକିତ ହୋଇଯିବେ । କାରଣ ମନମୋହନଙ୍କ ନାମରେ କୌଣସି ଗାଡ଼ି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା । ଏଥିସହ ନିଜ ନାମରେ କିଛି ଜମିବାଡ଼ି ବି ମନମୋହନ କିଣି ନଥିଲେ ।

୨୦୧୯ ମସିହାରେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ମନମୋହନ । ସେତେବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୫.୭୭ କୋଟି ବୋଲି ଉଲ୍ଲେଖ କରିଥିଲେ । ରୋଚକ କଥା ହେଉଛି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମୁଣ୍ଡ ଉପରେ ଗୋଟିଏ ବି ଟଙ୍କାର କରଜ ନାହିଁ । ଏଥିସହ ତାଙ୍କ ନାମରେ କାର୍‌ କି ଜୁଏଲାରୀ ବି ନାହିଁ । ତାଙ୍କର ଅଧିକାଂଶ ସମ୍ପତ୍ତି ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଛି । ଉଭୟ ମନମୋହନ ଓ ତାଙ୍କ ପତ୍ନୀଙ୍କ ନାମରେ ୭ କୋଟି ଟଙ୍କା ଜମା ଥିବା ଜଣାଯାଇଛି ।

ମନମୋହନଙ୍କ ପତ୍ନୀଙ୍କ ନିକଟରେ ୨.୮୬ ଲକ୍ଷ ଟଙ୍କାର ଅଳଙ୍କାର ଥିଲା । ମନମୋହନ ନିଜ ନାମରେ କିଛି ବି ଶେଆର ବଣ୍ଡ ବା ଇନସୁରାନ୍ସ ପଲିସି ବି କିଣି ନଥିଲେ । ମନମୋହନଙ୍କର କୌଣସି ଚାଷ ଜମି ବା ବ୍ୟବସାୟିକ ପ୍ରତିଷ୍ଠାନ ନ ଥିଲା । କିନ୍ତୁ ତାଙ୍କ ନାମରେ ଦୁଇଟି ଘର ଥିବା ସତ୍ୟପାଠରେ ଉଲ୍ଲେଖ ଅଛି । ସେଥିମଧ୍ୟରୁ ଗୋଟିଏ ଫ୍ଲାଟ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ ଥିବା ବେଳେ ତାହାର ମୂଲ୍ୟ ୫.୬୪ କୋଟି ଓ ଅନ୍ୟ ଫ୍ଲାଟ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ରହିଛି । ଯାହାର ମୂଲ୍ୟ ୨.୨୩ କୋଟି ଟଙ୍କା ।