କଂଗ୍ରେସ ମୁଖ୍ୟାଳୟରେ ସ୍ବର୍ଗତ ମନମୋହନଙ୍କୁ ଶେଷ ଦର୍ଶନ


ନୂଆଦିଲ୍ଲୀ: ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ । ନୂଆଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ତାଙ୍କର ଅନ୍ତିମ ସଂସ୍କାର । ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟରେ ଶେଷ ଦର୍ଶନ ପାଇଁ ମନମୋହନଙ୍କ ପାର୍ଥିବ ଶରୀର ରଖାଯାଇଛି । ନେତାଙ୍କଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତି କଂଗ୍ରେସ କାର୍ଯ୍ୟାଳୟକୁ ଯାଇ ତାଙ୍କ ଶେଷ ଦର୍ଶନ କରିଛନ୍ତି ।

କଂଗ୍ରେସ ମୁଖ୍ୟାଳୟରେ ତାଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ମୃତଦେହ ସହ ପହଞ୍ଚିଛନ୍ତି । ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସ ମୁଖ୍ୟାଳୟରେ ପ୍ରିୟଙ୍କା ଗାନ୍ଧି, ସୋନିଆ ଗାନ୍ଧି, ପୱନ ବନସଲ, ମଲ୍ଲିକାର୍ଜୁନ ଖଡ଼ଗେ, ପି ଚିଦାମ୍ବରମଙ୍କ ସମେତ ବଡ ମଧ୍ୟ ନେତାମାନେ ଉପସ୍ଥିତ ଅଛନ୍ତି । ପୂର୍ଣ୍ଣ ସେନା ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ ହେବାକୁ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଆବଶ୍ୟକ ବନ୍ଦୋବସ୍ତ କରିବାକୁ କୁହାଯାଇଛି । ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଆଖି ବୁଜିଥିଲେ ମନମୋହନ ସିଂହ । ଦିଲ୍ଲୀ ସ୍ଥିତ ବାସଭବନକୁ ମର ଶରୀର ଅଣାଯିବା ପରେ ତାଙ୍କର ଶେଷ ଦର୍ଶନ କରିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ମନମୋହନଙ୍କ ବିୟୋଗରେ ଭାରତରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି ।