ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ସ୍ଥାୟୀ ସ୍ମାରକ ସ୍ଥଳ ନିର୍ମାଣ କରିବାକୁ କଂଗ୍ରେସ ଦାବି କରିବା ପରେ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ସରକାର କରିଛନ୍ତି ବଡ଼ ଘୋଷଣା । ସ୍ବର୍ଗତ ସିଂହଙ୍କ ପାଇଁ ଦିଲ୍ଲୀରେ ସ୍ମାରକ ସ୍ଥଳ ନିର୍ମାଣ କରାଯିବା ବୋଲି ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି । ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମ ସଂସ୍କାର ହେବ । ଏହାପରେ ମନମୋହନଙ୍କ ପାଇଁ ଦିଲ୍ଲୀରେ ସ୍ମାରକସ୍ଥଳ ନିର୍ମାଣ କରାଯିବ । ଏଥିପାଇଁ ଜାଗା ଯୋଗାଇ ଦେବା ନେଇ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି । ଟ୍ରଷ୍ଟ ଗଠନ ଓ ସ୍ଥାନ ନିରୂପଣ ପାଇଁ ସମୟ ଆବଶ୍ୟକ ଥିବାରୁ ଶେଷକୃତ୍ୟ ପରେ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର । ମନମୋହନ ସିଂହଙ୍କ ସ୍ମାରକସ୍ଥଳୀ ନିର୍ମାଣ ପାଇଁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ସ୍ଥାନ ନିର୍ଦ୍ଧାରଣ ହେବା ନେଇ ସୂଚନା ମିଳିଛି ।
ସେପଟେ ତୁରନ୍ତ ସ୍ଥାନ ନିରୁପଣ ସହ ସେଠାରେ ସଂସ୍କାର ପାଇଁ ଦାବି କରିଛି କଂଗ୍ରେସ । ଯାହାକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ପକ୍ଷରୁ କୁହାଯାଇଛି, ଅନ୍ତିମ ସଂସ୍କାର ସ୍ଥାନରେ ସ୍ମାରକସ୍ଥଳ ନିର୍ମାଣ ହୋଇଥାଏ । କେନ୍ଦ୍ର କାହିଁକି ସ୍ଥାନ ଖୋଜି ପାଇଲା ନାହିଁ । ଏହା ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀଙ୍କୁ ଅପମାନ ବୋଲି କଂଗ୍ରେସ ଅଭିଯୋଗ କରିଛି ।
ସେପଟେ ମନମୋହନଙ୍କ ଦେହାନ୍ତକୁ ନେଇ ହୀନ ରାଜନୀତି ବନ୍ଦ କରିବାକୁ କଂଗ୍ରେସକୁ ଆହ୍ୱାନ ଦେଇଛି ବିଜେପି । ଏହାସହ କଡ଼ା ସମାଲୋଚନା କରି କହିଛି, ଦେହାନ୍ତ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ କିପରି ବ୍ୟବହାର କରାଯାଇଥିଲା ତାହା ଭୁଲି ନଯାଉ କଂଗ୍ରେସ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସରକାରରେ ଥାଇ ମଧ୍ୟ ନରସିଂହ ରାଓଙ୍କ ପାଇଁ କଂଗ୍ରେସ ଏକ ସ୍ମାରକସ୍ଥଳ ନିର୍ମାଣ କରିପାରିଲା ନାହିଁ । ଦିଲ୍ଲୀରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ କଂଗ୍ରେସ ଚାହୁଁ ନଥିବା ବିଜେପି ଅଭିଯୋଗ କରିଛି । ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ । ତାଙ୍କ ରାଜନୈତିକ ମର୍ଯ୍ୟାଦା ଅନୁସାରେ ତାଙ୍କ ସ୍ମାରକୀ ନିର୍ମାଣ କରାଯାଇପାରୁଥିବା ସ୍ଥାନରେ ଅନ୍ତିମ ସଂସ୍କାର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଖଡ଼ଗେ ।