ସାବାଡ଼ କଲା NTCA, ଜିନ୍ନତକୁ ଫେରାଇଲା ପଶ୍ଚିମବଙ୍ଗ


ବାରିପଦା: NTCA ପଶ୍ଚମବଙ୍ଗ ସରକାରଙ୍କ କଲା ସାବାଡ଼ । ଏକମୁହାଁ ହୋଇ ବାଘୁଣୀ ଜିନ୍ନତକୁ ଫେରାଇଲା ପଶ୍ଚିମବଙ୍ଗ । ଆଉ ଆଲିପୁର ଚିଡ଼ିଆଖାନାରୁ ବିଳମ୍ବିତ ରାତିରେ ଓଡ଼ିଶା ଫେରିଲା ଜିନ୍ନତ । ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡିରେ ପାଇଲଟିଂ କରି ଜିନ୍ନତକୁ ଓଡ଼ିଶା ଅଣାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ ଜିନ୍ନତକୁ ଶିମିଳିପାଳ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି ।

୨ ଦିନ ତଳେ ପଶ୍ଚିମବଙ୍ଗ ବାଙ୍କୁରାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା । ଏହାକୁ ନେଇ ହରଡ଼ଘଣାରେ ପଡିଥିଲା ପଶ୍ଚିମବଙ୍ଗ ବନ ବିଭାଗ ।

ବାଘୁଣୀକୁ କାହିଁକି ଓଡ଼ିଶା ନ ପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ସେ ନେଇ ପ୍ରଶ୍ନ ଉଠାଇଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ NTCA । ଏ ନେଇ NTCA ପକ୍ଷରୁ ପଶ୍ଚିମବଙ୍ଗର ଚିଫ୍ ୱାଇଡଲାଇଫ୍ ୱାର୍ଡେନଙ୍କୁ ଚିଠି କରାଯାଇଥିଲା । ଏଥିସହ SOP ଅନୁସାରେ ତୁରନ୍ତ ବାଘୁଣୀକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ NTCA । ଏହାପରେ ଗତ ରାତିରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ ।

ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ଘୁରି ବୁଲିବା ପରେ ଜଙ୍ଗଲୀ ରାସ୍ତା ଦେଇ ଝାରଖଣ୍ଡ ପଳାଇ ଯାଇଥିଲା ଜିନ୍ନତ । ଝାଡ଼ଖଣ୍ଡରେ କିଛିଦିନ ରହିବା ପରେ ସେ ପଶ୍ଚିମବଙ୍ଗ ପଳାଇ ଯାଇଥିଲା । ସେଠାରେ ବାଙ୍କୁରାରେ ବୁଲୁଥିବା ବେଳେ  ଗତ ରବିବାର ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ତାକୁ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା । ତେବେ ଶିମିଳିପାଳ ନିଆ ନଯାଇ କ’ଣ ପାଇଁ ଆଲିପୁର ନିଆଗଲା ବୋଲି ପଚାରି ବର୍ଷିଛନ୍ତି NTCA ।