ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି କାର୍ଯ୍ୟାଳୟରେ ମହିଳା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଏବଂ ଏସିଡ ପକାଇ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଗତ ୨୫ ତାରିଖରୁ ଉଲୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଫଳରେ ଉଲୁଣ୍ଡା ପଂଚାୟତ ସମିତି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ମଙ୍ଗଳବାର ଠାରୁ କଳମ ଛାଡ ଆନ୍ଦୋଳନ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସୂଚନା ଅନୁଯାୟୀ ଗତ ୨୪ ତାରିଖ ଅପରାହ୍ନରେ ଉଲୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରିଣୀ ଏକ ବୈଠକ ପାଇଁ ସମସ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀଙ୍କୁ ଡାକିଥିଲେ । କଳାପଥର ଏବଂ ଜାଲୋଏ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ରିତାଞ୍ଜଳୀ ପାଣିଗ୍ରାହୀ ବୈଠକ ସାରି ବାହାରକୁ ଆସିବା ପରେ ଜାଲୋଏ ପଂଚାୟତ କେସଲପୁରା ଗ୍ରାମର ଶଙ୍କର୍ଷଣ ଦଳେଇ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହିତ ଦୁର୍ବ୍ୟବହାର ଦେଖାଇଥଲେ । ଏଥିସହ ଘରକୁ ଯାଉଥିବା ବେଳେ ଏସିଡ ପକାଇ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଏନେଇ ରିତାଞ୍ଜଳୀ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିବା ବେଳେ ଦଫା ୨୯୬,୧୩. ୩୫୧(୨) ବିଏନଏସରେ ପୁଲିସ ଏକ ମାମଲା ରୁଜୁ କରିଛି । ମାତ୍ର ପୁଲିସ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଫେଲ ମାରିଛି । ଫଳରେ ଉଲୁଣ୍ଡା ପଂଚାୟତ ସମିତି ଅନ୍ତର୍ଗତ ସମସ୍ତ କର୍ମଚାରୀ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ କଳମ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ଷ ର ଶେଷ ଦିନ ତମାମ ଆନ୍ଦୋଳନ ଜାରି ରହିଥିବା ବେଳେ ସନ୍ଧ୍ୟା ସମୟରେ ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ , ତହସିଲଦାର ପ୍ରଶାନ୍ତ ମହାରଣା , ବିଡିଓ କରିସ୍ମା ଭେସ୍ରା , ଏବିଡିଓ ସୁଭ୍ରାଂଶୁ ମଲ୍ଲିକ , ଉଲୁଣ୍ଡା ଥାନା ଅଧିକାରୀ ପଂଚାନନ ନାୟକ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏଥିସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସଡିପିଓ ଆଉ ୫ ଦିନ ସମୟ ମାଗିଥିଲେ । ମାତ୍ର ଅଭିଯୋଗର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିବାରୁ ପୁଲିସ ଉପରେ ଆନ୍ଦୋଳନକାରୀ ଭରଷା ନ କରି ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡିଛି । ତେବେ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମହିଳା କର୍ମଚାରୀ ଅସୁରକ୍ଷିତ ଘଟଣାକୁ ନେଇ ସାଧାରଣରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି ।