କାନପୁର: ପୁଣି ଥରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ କରି ଟ୍ରେନ ଉଡାଇ ଦେବାକୁ ଯୋଜନା । ଉତ୍ତର ପ୍ରଦେଶ ଶିବରାଜପୁର ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନରୁ ମିଳିଲା ସିଲିଣ୍ଡର ଗ୍ୟାସ ।
ସୂଚନାଯୋଗ୍ୟ, ସିଲିଣ୍ଡରଟି ଖାଲି ଥିଲା ଓ ଏହାକୁ ଏକ ବ୍ୟାଗରେ ରଖାଯାଇଥିଲା । ମଙ୍ଗଳବାର ରାତିରେ ଶିବରାଜପୁର ଷ୍ଟେସନରୁ ପ୍ରାୟ ୧୦୦ ମିଟର ଦୂରରୁ ସିଲିଣ୍ଡରଟି ମିଳିଛି । ବୁଧବାର GRP ଓ ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରଟିକୁ ଜବତ କରିଥିଲେ । ଏହାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି ।
ସୂଚନାଯୋଗ୍ୟ, ଚାରି ମାସ ପୂର୍ବେ ବି ଉକ୍ତ ଅଞ୍ଚଳରେ ଟ୍ରାକରେ ସିଲିଣ୍ଡର ରଖି କାଲିନ୍ଦି ଏକ୍ସପ୍ରେସ ଟ୍ରେନକୁ ଓଲଟାଇବାକୁ ଚେଷ୍ଟା କରାଯାଇଥିଲା । ଗତବର୍ଷ ୮ ସେପ୍ଟେମ୍ବରରେ ଶିବରାଜପୁର ଷ୍ଟେସନଠାରୁ ପ୍ରାୟ ଏକ କିମି ପୂର୍ବରୁ ଟ୍ରାକରେ କିଛି ବିସ୍ଫୋରକ ସାମଗ୍ରୀ ସହିତ ଏଲପିଜିର ଏକ ବଡ଼ ସିଲିଣ୍ଡର ମିଳିଥିଲା । ପୁରୁଣା ମାମଲାରେ ପୋଲିସ ସହିତ ଏଟିଏସ୍ ମଧ୍ୟ ତଦନ୍ତ କରିଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଖୁଲାସା କରାଯାଇ ନାହିଁ । କିଛି ଦିନ ପୂର୍ବେ କାନପୁରର ପ୍ରେମପୁର ଷ୍ଟେସନରେ ରେଳ ଲାଇନ ମଧ୍ୟରେ ୫ କିଲୋଗ୍ରାମ ସିଲିଣ୍ଡର ମିଳିଥିଲା । ଏହି ମାମଲାରେ ମଧ୍ୟ ରେଲଓ୍ୱେ ପୋଲିସ ଯାଞ୍ଚ ଜାରି ରଖିଛି ।