ଭୁବନେଶ୍ବର: ଡିଜିପି ସମ୍ମିଳନୀ ପରେ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଟାର୍ଗେଟରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ । ଓଡ଼ିଶାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ନେଇ ଚେତବାନୀପୂର୍ଣ୍ଣ ମେଲ ତଥା ଭିଡିଓ ପଠାଇଛି ପନ୍ନୁ । ଓଡ଼ିଶାର ପରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ ଆସିଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।
ଗତ ନଭେମ୍ବର ମାସରେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ତାହାକୁ ଭଣ୍ଡୁର କରିବାକୁ ପନ୍ନୁ ପଠାଇଥିଲା ଧମକପୂର୍ଣ୍ଣ ମେଲ୍ । ସେତେବଳେ ମଧ୍ୟ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଓଡ଼ିଆ ଓ ଇଂରାଜୀରେ ଦୁଇଟି ଧମକପୂର୍ଣ୍ଣ ମେଲ୍ ଆସିଥିଲା । ସେହିପରି ଆଜି ପୁନର୍ବର ଏହି ଘଟଣାର ପୁନରାବୃତ୍ତି ହୋଇଛି । ଆସନ୍ତା ୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ ଧମକ ଦିଆଯାଇଛି । ଏହା ପୂର୍ବରୁ ଅକ୍ଷୟ ସାହୁଙ୍କ ନିକଟକୁ ଧମକପୂର୍ଣ୍ଣ ମେଲ୍ ଓ ଭିଡିଓ ମେସେଜ ଆସିଥିବା ବେଳେ ଏନେଇ ଅକ୍ଷୟ ସାହୁ ଆଜି ପୋଲିସ୍କୁ ସୂଚନା ଦେବେ ବୋଲି ଜଣାଯାଇଛି ।
ତେବେ ଏହି ଧମକପୂର୍ଣ୍ଣ ମେଲ୍ ପନ୍ନୁ ଦେଇଛି ନା’ ଆଉ କିଏ ତଦନ୍ତ ପରେ ତାହା ସ୍ପଷ୍ଟ ହେବ । ଏଥିସହ କେବଳ ଅକ୍ଷୟ ସାହୁଙ୍କ ନିକଟକୁ ମେଲ୍ ଆସିଛି ନା ଆଉ କାହା ପାଖକୁ ବି ପନ୍ନୁ ମେଲ୍ ପଠାଇଛି ତାହା ସ୍ପଷ୍ଟ ହୋଇ ପାରିନି ।
ସୂଚନାଯୋଗ୍ୟ, ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ । ଏହି ସମାରୋହରେ ଦେଶ, ବିଦେଶରୁ ପ୍ରାୟ ୭ ହଜାର ଅତିଥି ଯୋଗଦେବେ ବୋଲି ଜଣାପଡ଼ିଛି ।