ହାଇଦ୍ରାବାଦ: ପୁଷ୍ପା ଷ୍ଟାରର ତଥା ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜାମିନର ଶୁଣାଣି ଆଜି ସନ୍ଧ୍ୟାରେ ହାଇଦ୍ରାବାଦରେ ହେବାକୁ ଯାଉଛି । ପୁଷ୍ପା-୨ ପ୍ରିମିୟର ଶୋ’ ବେଳେ ସନ୍ଧ୍ୟା ଥିଏଟର ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ତାଙ୍କର ଜାମିନ ନେଇ ଶୁଣାଣି ହେବ । ଗତ ଡିସେମ୍ବର ୨୯ରେ ମାମଲାର ଶୁଣାଣି କରି ଜାନୁଆରୀ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ଲାଗି କୋର୍ଟ ନିଷ୍ପତ୍ତି ନେଇଥିଲେ । ଉଭୟ ପୋଲିସ ଓ ଅଲ୍ଲୁ ଅର୍ଜୁନଙ୍କ ପିଟିସନର ଶୁଣାଣି କରିବେ ଦ୍ବିତୀୟ ଅତିରିକ୍ତ ମେଟ୍ରୋପଲିଟାନ ଦୌରଜଜ ।
ଦଳାଚକଟା ମାମଲାରେ ୧୧ ନମ୍ବର ଅଭିଯୁକ୍ତ ହେଉଛନ୍ତି ଅଲ୍ଲୁ । ତାଙ୍କ ପକ୍ଷରୁ ଓକିଲ ନିୟମିତ ଜାମିନ ଲାଗି ପିଟିସନ ଦାୟର କରିଛନ୍ତି । ଗତ ଡିସେମ୍ବର ୨୭ରେ ନାମପଲ୍ଲୀ କୋର୍ଟ ନିକଟରେ ଭର୍ଚୁଆଲରେ ହାଜର ହୋଇଥିଲେ ଅଲ୍ଲୁ । ଅଲ୍ଲୁଙ୍କ ଟିମ ପକ୍ଷରୁ ବେଲ ପିଟିସନ ଦାୟର ହୋଇଥିବାବେଳେ ପୋଲିସ ପକ୍ଷରୁ ବେଲ୍ ବିରୋଧରେ କାଉଣ୍ଟର ପିଟିସନ ଦାୟର ହୋଇଛି ।
ଗତ ଡିସେମ୍ବର ୪ରେ ପୁଷ୍ପା-୨ର ପ୍ରିମିୟର ସନ୍ଧ୍ୟା ଥିଏଟରରେ ହୋଇଥିବାବେଳେ ଦଳାଚକଟା ଘଟିବାରୁ ପ୍ରାଣ ହରାଇଥିଲେ ଜଣେ ୩୫ ବର୍ଷ ବୟସ୍କା ମହିଳା । ଏହାସହ ତାଙ୍କ ୮ ବର୍ଷ ପିଲା ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଦଳାଚକଟା ଘଟଣା ପରେ ଚକ୍କଡପଲ୍ଲୀ ପୋଲିସ ଅଲ୍ଲୁ ଅର୍ଜୁନ, ସନ୍ଧ୍ୟା ଥିଏଟରର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଗତ ଡିସେମ୍ବର ୧୩ରେ ଗିରଫ ହୋଇଥିଲେ ଅଲ୍ଲୁ । ତେଲଙ୍ଗାନା ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ମିଳିଥିଲା ଅନ୍ତରୀଣ ଜାମିନ ।