୧୮ ବର୍ଷରୁ କମ ବୟସ ପିଲା ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲିବାକୁ ଦରକାର ଅଭିଭାବକଙ୍କ ଅନୁମତି


ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ ଆଙ୍କୁଶ । ମନଇଚ୍ଛା ଖୋଲି ପାରିବେନି ଆକାଉଣ୍ଟ । ଆକାଉଣ୍ଟ ଖୋଲିବାକୁ ହେଲେ ବାପାମାଆ କିମ୍ବା ଅଭିଭାବକଙ୍କୁ ଦେବାକୁ ପଡ଼ିବ ଅନୁମତି । ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫ । ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେଶନ ଟେକ୍ନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିରେ ବିଭିନ୍ନ ଅଂଶୀଦାରଙ୍କୁ ସେମାନଙ୍କ ମତାମତ ଆହ୍ବାନ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କ ଏକ୍ସ ଆକାଉଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି । ଡ୍ରାଫ୍ଟ ଡିପିଡିପି ନିୟମାବଳୀ ସମସ୍ତଙ୍କ ଆଲୋଚନା ପାଇଁ ଖୋଲା ରହିଛି ଓ ସମସ୍ତଙ୍କ ମତ ଆହ୍ବାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଜନସାଧାରଣ ଏଥିପାଇଁ ଜାନୁଆରୀ ୩ରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ mygov.in ୱେବସାଇଟ୍ ଜରିଆରେ ନିଜର ମତାମତ ଓ ଅଭିଯୋଗ ରଖିପାରିବେ । ଫେବ୍ରୁଆରୀ ୧୮ ତାରିଖ ପରେ ହିଁ ଏହି ନୂଆ ନିୟମାବଳୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ବା ଡିପିଡିପି ଡ୍ରାଫ୍ଟ ରୁଲରେ ପର୍ସନାଲ ଡାଟା ସୁରକ୍ଷା ପାଇଁ କଡ଼ା ନିୟମାବଳୀ ରଖିଛନ୍ତି ସରକାର । ଯେଉଁଥିରେ ବ୍ୟକ୍ତିଗତ ତଥ୍ୟ ଉପରେ ବ୍ୟବହାରକାରୀଙ୍କ ଅଧିକାର, ଡାଟା ଡିଲିଟ୍ କରିବା ଉପରେ ଅଧିକାର, ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ବେଳେ କମ୍ପାନୀକୁ ଉଦ୍ଦେଶ୍ୟ ପଚାରିବା ଓ ଡାଟା ଲିକ୍ ପାଇଁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବା ଭଳି ବ୍ୟବସ୍ଥା ରହିଛି । ଗତ ଅଗଷ୍ଟ ୨୦୨୩ ସଂସଦର ଏହା ଅନୁମୋଦିତ ହୋଇଥିଲା ।