କଳାହାଣ୍ଡି: ଗ୍ରାହକଙ୍କୁ ଠକିବା ବିଶାଲ ମେଗାର୍ମାଟକୁ ପଡ଼ିଲା ମହଙ୍ଗା । ୧ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଲେ ଖାଉଟି ଅଦାଲତ । ଭବାନୀପାଟଣାର ବାହାଦୂର ବଗିଚା ପଡା ସ୍ଥିତ ବିଶାଲ ମେଗାମାର୍ଟକୁ ଖାଉଟି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଜରିମାନା ଟଙ୍କାରୁ ୩୫ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ଦେବାକୁ ଓ ବାକି ଟଙ୍କାକୁ ଓଡିଶା ରାଜ୍ୟ ଖାଉଟି ସୁରକ୍ଷା ପାଣ୍ଠିକୁ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ଡିସୋମ୍ବର ୮ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବରାଖମା ଗାଁର ବିରୁପାକ୍ଷ ପାତ୍ର ନିଜ ଭାଇ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ସହ ଭବାନୀପାଟଣା ବାହାଦୂରବଗିଚା ପଡା ସ୍ଥିତ ବିଶାଲ ମେଗାମାର୍ଟକୁ କିଣାକିଣି କରିବାକୁ ଯାଇଥିଲେ । ସେଠାରେ ସେ ଏକ ଲେଡିଜ୍ କୁର୍ତ୍ତି ପସନ୍ଦ କରିଥିଲେ । ଯାହାର ବିକ୍ରି ମୂଲ୍ୟ ଉପରେ ୧୫ ପ୍ରତିଶତ ରିହାତି ଅଫର ଉଲ୍ଲେଖ ରହିଥିଲା । ତେବେ ଏହାର ବିଲିଂ କରିବା ସମୟରେ ଉପରୋକ୍ତ ବସ୍ତ୍ର ଉପରେ ରିହାତି ହିସାବ ନଥିବାରୁ ଅଭିଯୋଗକାରୀ ମଲ ଇନଚାର୍ଜଙ୍କ ଦୃଷ୍ଟି ଆକାର୍ଷଣ କରିଥିଲେ । କିନ୍ତୁ ସେ ରିହାତି ଦେବାକୁ ଅଗ୍ରାହ୍ୟ କରିବା ସହ ମ୍ୟାନେଜରଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ ।
ବିରୁପାକ୍ଷ ମ୍ୟାନେଜରଙ୍କୁ ସାକ୍ଷାତ କରିବା ପରେ ସେ ମଧ୍ୟ ରିହାତି ଅଫର ଦେବାକୁ ମନା କରିଦେଇଥିଲେ । କୁର୍ତ୍ତୀରେ ଲାଗିଥିବା ଡିସପ୍ଲେ ବୋର୍ଡଟି ଭୁଲରେ ଲାଗିଥିବା କହିଥିଲେ । ଏପରିକି ଟଙ୍କା ଫେରସ୍ତ କରିବାକୁ ମଧ୍ୟ ମନା କରିଦେଇଥିଲେ । ଏହାକୁ ନେଇ ବିରୁପାକ୍ଷ ଖାଉଟି ଅଦାଳତର ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣୀ କରି ଖାଉଟି ଅଦାଲତ ବିଶାଲ ମେଗାର୍ମଟ ଉପରେ ଏହି ଜରିମାନା ଲଗାଇଛନ୍ତି ।