ଶ୍ରୀନଗର: ପ୍ରଧାନମନ୍ତ୍ରୀ ଜମ୍ମୁ ଓ କାଶ୍ମୀର ଗସ୍ତରେ ଥିବା ବେଳେ ଏଠାରୁ ଆସିଛି ଏକ ହୃଦୟ ବିଦାରକ ଖବର । ଘର ଭିତରେ ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣା ଶ୍ରୀନଗରର ପନ୍ଦ୍ରେଥନ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଘଟିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ପନ୍ଦ୍ରେଥନରେ ଭଡ଼ାରେ ରହୁଥିବା ପରିବାରର ପାଞ୍ଚ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ତିନି ପିଲା ଅଛନ୍ତି ।
ଏହି ପରିବାର ବାରାମୂଳାର ବାସିନ୍ଦା ଥିଲେ । ପୂରା ଅଞ୍ଚଳରେ ଅଧିକ ଥଣ୍ଡା ଜାରି ରହିଥିବାରୁ ଘରେ ସମସ୍ତେ କବାଟ ବନ୍ଦ କରି ଶୋଇଥିଲେ । ତେବେ ଘରେ ଜଳା ଯାଇଥିବା ନିଆଁ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା, ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।
ମୃତକମାନେ ହେଲେ ଏଜାଜ ଅହମ୍ମଦ ଭଟ୍ଟ (୩୮), ତାଙ୍କ ପତ୍ନୀ ସଲୀମା (୩୨), ତାଙ୍କ ତିନି ପିଲା ଅରିବ (୩), ହମଜା (୧୮) ଏବଂ ଆଉ ଜଣେ ୧ ମାସର ଶିଶୁ । ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଶୋକ ଖେଳି ଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଓ ଉପ-ରାଜ୍ୟପାଳ ମନୋହ ସିହ୍ନା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ଶୀତ ଦିନେ ଥଣ୍ଡାରୁ ବର୍ତ୍ତିବା ପାଇଁ ଲୋକେ ଘରେ ଗ୍ୟାସ୍ ହିଟର୍ ଏବଂ କୋଇଲା ଜାଳି ବସନ୍ତି । ତେବେ ଏଥିରୁ କାର୍ବନ ମନୋଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ଲୋକଙ୍କ ମୃତ୍ୟୁ ହୋଇଥାଏ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଶ୍ମୀର ଅଞ୍ଚଳରେ ଅଧିକ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଖୋଲା ଅଗ୍ନି ଉପକରଣ ବ୍ୟବହାର କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।