ଭାରତରେ ପ୍ରଥମ HMPV ଭାଇରାସ ସଂକ୍ରମିତ ଚିହ୍ନଟ, ୮ ମାସର ପିଲା ଆକ୍ରାନ୍ତ


ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପରେ ଏବେ HMPV ଭାଇରାସ ଚିନ୍ତା । ସାରା ବିଶ୍ବକୁ ଘାରିଛି HMPV ଭାଇରାସ ଆତଙ୍କ । ଚୀନ୍‌ରେ ଏହି ଜୀବାଣୁ କାୟା ମେଲାଉ ଥିବା ବେଳେ ଭାରତରେ ବି ନିଜ ଉପସ୍ଥିତି ଜାହିର କରିସାରିଛି । ଭାରତରେ HMPV ଭାଇରାସ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରେ HMPV ଜୀବାଣୁ ଚିହ୍ନଟ ହୋଇଛି । କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ । ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି । ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ ।

ଭାରତରେ ଏହା ଏଚ୍‌ଏମ୍‌ପିଭି ଭାଇରସ୍‌ ପ୍ରଥମ ମାମଲା । ଏଚଏମପିଭି ସାଧାରଣତ ପିଲାମାନଙ୍କଠାରେ ହିଁ ଚିହ୍ନଟ ହୋଇଥାଏ । ସମସ୍ତ ଫ୍ଲୁ ନମୁନାରେ HMPV ୦.୭ % ଥାଏ । ଏହି ଜୀବାଣୁଙ୍କର ଷ୍ଟ୍ରେନ୍ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡୁରି କୁହାଯାଇଛି, ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ, ଏହି ଜୀବାଣୁ ପରିବେଶରେ ଦେଖିବାକୁ ମିଳେ ଏବଂ ଯଦି ପରୀକ୍ଷା କରାଯାଏ, ତେବେ ଅଧିକାଂଶ ଲୋକ ପଜିଟିଭ୍ ମିଳିବେ । ଏହା ଏକ ସାଧାରଣ ଜୀବାଣୁ । ବର୍ତ୍ତମାନ ଏହା ପାଇଁ କୌଣସି ଟିକା ନାହିଁ, କିନ୍ତୁ ଏହାର ଲକ୍ଷଣ ଥଣ୍ଡା ଭଳି । ୨୦୨୩ ମସିହାରେ ନେଦରଲ୍ୟାଣ୍ଡ, ବ୍ରିଟେନ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଓ ଚାଇନାରେ HMPV ଚିହ୍ନଟ ହୋଇଥିଲା ।