ମୁମ୍ବାଇ: ଭାଣିଜୀର ପ୍ରେମ ବିବାହକୁ ମାମୁଁଙ୍କ ବିରୋଧ । ଆଉ ରାତ ଏତେ ପଞ୍ଚମ ହୋଇଗଲା ଯେ, ରିସେପ୍ସନ ଭୋଜିରେ ମିଶାଇ ଦେଲେ ବିଷ । ତେବେ ସ୍ବଭାଗ୍ୟକୁ ଅତିଥିମାନେ ଭୋଜି ଖାଇବା ପୂର୍ବରୁ ଘଟଣା ପ୍ରଘଟ ହୋଇଗଲା ଓ ବଡ଼ ଧରଣର ଅଘଟଣ ଟଳିଗଲା । ଘଟଣା ପରେ ଅଭିଯୁକ୍ତ ମାମୁଁ ଫେରାର ହୋଇଯାଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଘଟଣା ମହାରାଷ୍ଟ୍ରର କୋହ୍ଲପୁର ଜିଲ୍ଲା ପନହାଲା ତହସିଲ ଅନ୍ତର୍ଗତ ଉଟ୍ରେ ଗାଁରେ ଘଟିଛି ।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ମାମୁଁ ମହେଶ ପାଟିଲ ଘରେ ଭାଣିଜୀ ରହି ବଡ଼ ହୋଇଛନ୍ତି । ହେଲେ ଭାଣିଜୀ ସେହି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଘର ଲୋକ ରାଜି ନହେବାରୁ ସେ ପ୍ରେମିକଙ୍କ ସହ ଲୁଚି ଘର ଛାଡ଼ି ପଳାଇ ବିବାହ କରିଥିଲେ । ଯାହାକୁ ନେଇ ମହେଶ ଖପ୍ପା ଥିଲେ । ଆଉ ପ୍ରତିଶୋଧ ପରାୟଣ ହୋଇ ଭାଣିଜୀଙ୍କ ବିବାହ ରିସେପ୍ସନରେ ପଶି ଭୋଜିରେ ବିଷ ମିଶାଇ ଦେଇଥିଲେ । ଅତିଥିମାନେ ଭୋଜି ଖାଇବା ପୂର୍ବରୁ ଘଟଣାଟି ପ୍ରଘଟ ହୋଇଯାଇଥିଲା । ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି ।
ଅନ୍ୟପଟେ ବିବାହ ରିସେପ୍ସନରେ ଉପସ୍ଥିତ କିଛି ଲୋକ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଖାଦ୍ୟର ନମୂନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପୋଲିସ ପଠାଇଛି । ଭାରତ ନ୍ୟାୟ ସଂହିତା ଅଧୀନରେ ଅଭିଯୁକ୍ତ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି ।