ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ଭୁବନେଶ୍ୱର: ଗତକାଲିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଗତକାଲିଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମ୍ମିଳନୀ ପାଇଁ ଏବେ ଓଡ଼ିଶା ସାରା ବିଶ୍ବର ନଜରରେ ରହିଛି । କାରଣ, ୭-ରୁ ଅଧିକ ଦେଶରୁ ପ୍ରବାସୀ ଭାରତୀୟ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଆଜି ଜନତା ମୈଦାନରେ ଏହାକୁ ଅନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ମୁଦଘାଟନ କରିବେ ।

ଗତ ରାତିରେ ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ସମ୍ମିଳନୀ ଉଦଘାଟନ କରିବା ସହ ପ୍ରବାସୀଙ୍କ ସହ କିଛି ସମୟ ଭାବ ବିନିମୟ କରିବେ । ଏହାପରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହାପରେ ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହ ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କରିବେ ।

ଗତକାଲି ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ କରିଥିଲେ ୨ କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର, ମନସୁଖ୍ ମାଣ୍ଡଭ୍ୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାଗତ ଭାଷଣରେ ଭାରତ ବିକାଶରେ ପ୍ରବାସୀଙ୍କ ଭାଗିଦାରୀ ବଢେଇବାକୁ ଆହ୍ୱାନ ଦେଇଥିଲେ ମାଣ୍ଡଭ୍ୟ ।

ଭାରତ ସହ ପ୍ରବାସୀମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ । ଏଥିସହିତ 3T- ଟ୍ରେଡ୍, ଟେକ୍ନୋଲୋଜି ଓ ଟୁରିଜମରେ ସାମର୍ଥ୍ୟ ଯୋଗୁଁ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି କହିଥିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।

ଓଡ଼ିଆରେ ପ୍ରବାସୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଥିଲେ, ପ୍ରବାସୀମାନେ ହେଉଛନ୍ତି ବିକଶିତ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର । ଏହି ଅନୁଭୂତିକୁ ବିଶ୍ୱ ଦରବାରରେ ଆପଣମାନେ ପହଞ୍ଚାଇବେ ବୋଲି ସେ ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ ଦେଇଥିଲେ ।

ଗତକାଲି ଦ୍ୱିତୀୟ ଅଧିବେଶନରେ ଓଡ଼ିଶାରେ ପୁଞ୍ଜି ନିବେଶ ସୁଯୋଗ ପ୍ରବାସୀ ଭାରତୀୟଙ୍କ ଆଗରେ ଉପସ୍ଥାପନ କରିଥିଲେ ଓଡିଶା ସରକାର । ଓଡ଼ିଶାର ଶିଳ୍ପନୀତି ଓ ଶିଳ୍ପ ଅନୁକୂଳ ଭିତ୍ତିଭୂମି ଓ ଇଜ ଅଫ୍ ଡୁଇଂ ବିଜିନେସକୁ ଉପସ୍ଥାପିତ କରାଯାଇଥିଲା । ୬୫୦ରୁ ଅଧିକ ପ୍ରବାସୀ ଏହି ଅଧିବେଶନରେ ଯୋଗ ଦେଇଥିଲେ । ଓଡ଼ିଶାରେ ନିବେଶ ନେଇ ଆଗ୍ରହ ପ୍ରକାଶ କରିବା ସହ ଓଡ଼ିଶା ସରକାରଙ୍କ ସହଯୋଗକୁ ପ୍ରଶଂସା କରିଥିଲେ ପ୍ରବାସୀ ଭାରତୀୟ । ତୃତୀୟ ଅଧିବେଶନରେ ପ୍ରବାସୀଙ୍କୁ ଓଡ଼ିଶାର ପର୍ଯ୍ୟଟନ ଓ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ହୋଇଥିଲା ଆଲୋଚନା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓଡ଼ିଶାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଏବଂ ଅପାର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ ।