ପୁଣି ସ୍ପେସ୍ ଡକିଂ ସ୍ଥଗିତ ରଖିଲା ଇସ୍ରୋ


ନୂଆଦିଲ୍ଲୀ: ପୁଣି ଥରେ ସ୍ପେସ୍‌ ଡକିଂ ସ୍ଥଗିତ ରଖିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ସ୍ପେଡେକ୍ସ ମିଶନରେ ଯାଇ ମହାକାଶରେ ଘୁରି ବୁଲୁଥିବା ୨ଟି ସ୍ପେସ୍‌କ୍ରାଫ୍ଟ ଚେଜର୍ ଓ ଟାର୍ଗେଟକୁ ଯୋଡ଼ାଯିବା ପାଇଁ ଆଜି ସମୟ ଧାର୍ଯ୍ୟ ହୋଇଥିଲା । ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୁଇ ସାଟେଲାଇଟ୍ ସୁରକ୍ଷିତ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ପୂର୍ବରୁ ୭ ତାରିଖରେ ଡକିଂ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା ।

ଡିସେମ୍ବର ୩୦ରେ ଉତକ୍ଷେପଣ ପରେ ୨ଟି ଯାକ ସ୍ପେସକ୍ରାଫ୍ଟ ପୃଥିବୀ ପୃଷ୍ଠରୁ ୪୭୦ କିମି ଉଚ୍ଚତାରେ ବୃତ୍ତାକାର କକ୍ଷପଥରେ ଘୁରି ବୁଲୁଛନ୍ତି । ଉଭୟ ଚେଜର୍ ଓ ଟାର୍ଗେଟର ଓଜନ ୨୨୦ କିଲୋଗ୍ରାମ୍ ଲେଖାଏଁ ହୋଇଥିବା ବେଳେ, ସେମାନେ ମହାକାଶରେ ଘଣ୍ଟାପ୍ରତି ୨୪ ହଜାର କିଲୋମିଟର ବେଗରେ ଘୁରି ବୁଲୁଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ନିଖୁଣ ଭାବେ ଯୋଡ଼ିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ହୋଇଛି ।

ଏହା ଏକ ସୂକ୍ଷ୍ମ ପ୍ରକ୍ରିୟା ହୋଇଥିବା ବେଳେ, ଏଥିରେ ସଫଳତା ମିଳିଲେ ଡକିଂ ଟେକ୍ନୋଲୋଜି ହାସଲ କରିବାରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ପାଲଟିବ ଭାରତ । ଏହାଦ୍ବାରା ଭାରତ ମହାକାଶରେ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ କରିପାରିବ । ସେହିପରି ଚନ୍ଦ୍ରଯାନ-୪ ମିଶନ ପାଇଁ ଡକିଂ ଟେକ୍ନୋଲଜି ଅତ୍ୟନ୍ତ ଜାରୁରୀ ହୋଇଥିବାରୁ ସ୍ବେସ୍ପ ଡକିଂର ସଫଳତା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।