ଜୟପୁର: ମାତ୍ର ୧୦ ଟଙ୍କା ପାଇଁ ଜଣେ ୭୫ ବର୍ଷୀୟ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କୁ ନିର୍ଧୁମ ମାଡ଼ । ଆଉ ଏଡି କାଣ୍ଟ ଭିଆଇଛନ୍ତି ଏକ ବସର କଣ୍ଡକ୍ଟର । ଭିଡିଓ ଭାଇରାଲ ହେବା ପରେ ପୂର୍ବତନ ଆଇଏଏସ ଅଧିକାରୀ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ, ଜୟପୁର ସିଟି ପରିବହନ ସେବା ଲିମିଟେଡ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଅଭିଯୁକ୍ତ କଣ୍ଡକ୍ଟର ନିଲମ୍ବିତ କରିଛି । ଘଟଣା ରାଜସ୍ଥାନର ଜୟପୁରରୁ ଆସିଛି ।
ସୂଚନାଯୋଗ୍ୟ, ପୂର୍ବତନ ଆଇଏଏସ୍ ଅଧିକାରୀ ଆର୍ଏଲ୍ ମୀନା ଶୁକ୍ରବାର ବସ୍ ଯୋଗେ ଜୟପୁରରୁ ନାୟଲା ଯାଉଥିଲେ । ତେବେ ସେ କୋନୋଟା ବସଷ୍ଟାଣ୍ଡ ଯାଏଁ ଟିକେଟ୍ ନେଇଥିଲେ । ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ କଣ୍ଡକ୍ଟର ତାଙ୍କୁ ଅଧିକ ୧୦ ଟଙ୍କା ମାଗିଥିଲେ, ଯାହା ଦେବାକୁ ମୀନା ମନା କରିଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।
ସେପଟେ ବସ୍ ମୀନା କୋନୋଟା ପର୍ଯ୍ୟନ୍ତ ଟିକେଟ କାଟିଥିଲେ ବି କଣ୍ଡକ୍ଟର ସେଠାରେ ଗାଡ଼ି ଅଟକାଇ ନଥିଲେ । ଏହା ଦେଖି ପୂର୍ବତନ ଆଇଏଏସ୍ ଅଧିକାରୀ ଗାଡ଼ି ଅଟକାଇବା ପାଇଁ କଣ୍ଡକ୍ଟରକୁ କହିଥିଲେ । କଣ୍ଡକ୍ଟର ଗାଡି ଅଟକାଇବା ପରିବର୍ତ୍ତେ ଏକ ଧକ୍କା ଦେଇଥିଲେ । ଏହାପରେ ମୀନା କଣ୍ଡକ୍ଟରଙ୍କୁ ଏକ ଚାପୁଡା ମାରିଥିଲେ । ଏଥିରେ କଣ୍ଡକ୍ଟର ଜଣଙ୍କ ରାଗିଯାଇ ମୀନାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ମୀନା କୋନୋଟା ପୋଲିସ ଷ୍ଟେସନକୁ ଯାଇ ମାମଲା ଦାୟର କରିଛନ୍ତି । ସେପଟେ ଜୟପୁର ସିଟି ପରିବହନ ସେବା ଲିମିଟେଡ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଅଭିଯୁକ୍ତ କଣ୍ଡକ୍ଟର ଘନଶ୍ୟାମ ଶର୍ମାକୁ ନିଲମ୍ବିତ କରିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।