ଦିଲ୍ଲୀ ପ୍ରଚାର ମୈଦାନରେ ବୈଜୟନ୍ତ: ବିଜେପି ପାଇଁ ପ୍ରବାସୀ ଓଡ଼ିଆଙ୍କୁ ମାଗିଲେ ଭୋଟ୍


ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜମିବାରେ ଲାଗିଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଆପ୍ ଓ କଂଗ୍ରେସ ଦିଲ୍ଲୀ ଦଖଲ ପାଇଁ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି । ଆଉ ଏହି କ୍ରମରେ ଦିଲ୍ଲୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା । ଗତକାଲି ଦିଲ୍ଲୀ ସେବାନଗରରେ ଆୟୋଜିତ ଏକ ପ୍ରଚାର ସଭାରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଜେପି ସପକ୍ଷରେ ଭୋଟ ମାଗିଛନ୍ତି ।

ପ୍ରଚାର କରୁଥିବା ବେଳେ ବୈଜୟନ୍ତ କହିଛନ୍ତି, ଆପର ମିଛ କଥା ଶୁଣି ଶୁଣି ଦିଲ୍ଲୀବାସୀ ହତାଶ ହୋଇ ଗଲେଣି । ଯମୁନା ସଫା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାସ୍ତା ଠିକ୍‌ କରିବେ ବୋଲି କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କଲେ ନାହିଁ । ଏଠାରେ ୨୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସିଏଜି ଧରିଛି । ମଦ, ରାସ୍ତା ଓ ମହଲା କ୍ଲିନିକରେ ବ୍ୟାପକ ଦୁର୍ନୀତି ହୋଇଛି । ଫେକ୍‌ ମେଡିସିନ୍‌ ଯୋଗୁଁ ଛୋଟଛୋଟ ପିଲାଙ୍କ ମୃତ୍ୟୁ ଘଟୁଛି । ତେଣୁ ଲୋକମାନେ ଚାହୁଁଛନ୍ତି ଡବଲ୍‌ ଇଞ୍ଜିନ ସରକାର ହେଉ । ଲୋକେ ଜାଣିଛନ୍ତି, ମୋଦିଜୀଙ୍କ ଗ୍ୟାରେଣ୍ଟି ନିଶ୍ଚିତ ଲାଗୁ ହେବ ।

ସେ ଆହୁରି କହିଛନ୍ତି, ଲୋକେ ଚାହୁଁଛନ୍ତି ପରିବର୍ତ୍ତନ । ଆମେ କେବଳ ଲୋକଙ୍କ ପାଖରେ ପହଞ୍ଚୁଛୁ ଓ ମୋଦିଜୀଙ୍କ ଗ୍ୟାରେଣ୍ଟି ବିଷୟରେ ଜଣାଉଛୁ । ଏଠାକାର ଜନତା କଂଗ୍ରେସକୁ ୧୫ ବର୍ଷ ଦେଇଛନ୍ତି । ଅପ୍‌କୁ ୧୨ ବର୍ଷ ଦେଇ ହତାଶ ହୋଇଯାଇଛନ୍ତି । ଏଥର ଲୋକମାନେ ମନ ବନାଇ ସାରିଛନ୍ତି ବିଜେପିକୁ ସୁଯୋଗ ଦେବାକୁ ।