ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ଆଜି ତୃତୀୟ ଦିନରେ ପହଞ୍ଚିଛି । ଶନିବାର ଶ୍ରୀଜୀଉଙ୍କ ପଦ୍ମ ମୁଖ ବେଶ ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି । ଆଜି ଅପରାହ୍ନରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମହୋତ୍ସବ ପରିସରରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ୩୨ବେଶ ର ଉଦଘାଟନ କରି ଏମିତି ଦୁର୍ଲଭ ବେଶ ଆୟୋଜନ ର ଖୁବ ପ୍ରଶଂସା କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରତିଦିନ ଭାଗବତ ପାରାୟଣ ପଠନ ରେ ଅନେକ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ। ପ୍ରତିଦିନ ସଂଧ୍ୟାରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ଧର୍ମସଭା ଆୟୋଜନ ହେବା ସହ ଆଜି ସଂଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ବରଗଡ ର ମାଁ ସମଲେଶ୍ବରୀ ଡାଲିଆଖୁସା କଳା ପରିଷଦ ପକ୍ଷରୁ ପରିବେଷଣ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ପାଢୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୫୬ପ୍ରହରୀ ନାମଯଜ୍ଞ ରେ ଅନେକ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଅଖଣ୍ଡ ଘୃତଯଜ୍ଞ ରେ ପୂଜକ ଭାବରେ ଅର୍ଜୁନ ପଣ୍ଡା ଓ କର୍ତ୍ତା ଭାବେ ଗାଁ ଗୌନ୍ତିଆ ଚମରା ଅମାତ୍ ଓ ସୈରେନ୍ଦ୍ରି ଅମାତ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ମହାପ୍ରଭୁଙ୍କ ୩୨ବେଶ ପ୍ରଦର୍ଶନ ଯୋଗୁଁ ଭକ୍ତମାନେ ଦର୍ଶନ କରୁଛନ୍ତି । ସେ ପଟେ ଛଳିଆ ପାହାଡରେ ମନ୍ଦିର ନିକଟରେ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହେଉଅଛି । ଏହି ମହୋତ୍ସବ ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମହାସମାରୋହରେ ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହେଉଅଛି । ନୃତ୍ୟ , ଗୀତ , ପାରାୟଣ , ପ୍ରବଚନ , ଯଜ୍ଞ , ନାମ ସଂକୀର୍ତ୍ତନ ର ମହାନ ପର୍ବ ହେଉଛି ପାତାଳୀ ମହୋତ୍ସବ। ଏହି ମହୋତ୍ସବ ୬ ତାରିଖରେ ପୂର୍ଣ୍ଣାହୂତି ହେବ । ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହଜାର ହଜାର ଭକ୍ତ ମନଭରି ଦେଖିଥିଲେ । ମହାପ୍ରଭୁଙ୍କ ପ୍ରଭୁକୃପା ପାଇଁ ହଜାର ହଜାର ଭକ୍ତ ଧାଇଁ ଆସିଥିଲେ ଏହି ପବିତ୍ର ପୀଠକୁ।