ବିରମହlରlଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସୁବଳୟା +୨ କଲେଜର ଅଧ୍ୟକ୍ଷ ଭୋଳାନାଥ କର୍ମୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏ ଅବସରରେ ପ୍ରାଧ୍ୟାପକ ରମାକାନ୍ତ ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଦେବାଶିଷ ପଧାନ ସ୍ଵାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ । ସଭାରେ ସୁବଳୟା ଡିଗ୍ରୀ କଲେଜର ଅଧ୍ୟକ୍ଷ ବଳଦେବ ପୂଜାରୀ, ସୋନପୁର କଲେଜର ରାଜେନ୍ଦ୍ର ରଣା , ଦୀପ ବାବୁ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ମଦନସୁନ୍ଦର କ୍ଷେତୀ , ବୀରମହାରାଜପୁର କଲେଜର ବିଜୟ ପୁରୋହିତ , ପ୍ରକାଶ ସେଠ ପ୍ରମୁଖ ଯୋଗଦେଇ ଥିଲେ I ସେହିପରି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଖଣ୍ଡହତା କଲେଜ , ଜିଲ୍ଲା ଡୁମାଲ ପରିଷଦ, ସୁବଳୟା ମିଶନ ଶକ୍ତି ସଦସ୍ୟା , ଯୁବ ଛାତ୍ର ସଂସଦ ଆଦିର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ କଲେଜର ଲାଇବ୍ରେରୀକୁ ଶ୍ରୀ କର୍ମୀଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରାଯାଇଥିଲା । ପ୍ରଜ୍ଞାକଳ୍ପିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ନଗର ପରିକ୍ରମା କରାଯାଇ ଏକ ଭାବବିହ୍ୱଳ ପରିବେଶରେ ତାଙ୍କୁ ଟେଭାପଦର ସ୍ଥିତ ତାଙ୍କ ବାସଭବନ ଯାଏ ପାଛୋଟି ନିଆଯାଇଥିଲା । ଶ୍ରୀ କର୍ମୀ ଦୀର୍ଘ ୩୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୧୯୯୧ ରୁ ୧୯୯୬ ଓ ୨୦୧୬ ରୁ ଅଦ୍ୟାବଧି ଅଧ୍ୟକ୍ଷ ଦାୟିତ୍ଵ ତୁଲାଇଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ କଲେଜରେ ଶିକ୍ଷା ଏକ ଇଚ୍ଛାଧିନ ବିଷୟ ଭାବେ ଆରମ୍ଭ ହୋଇଥିବାବେଳେ ପ୍ରଥମ ପରୀକ୍ଷା କେନ୍ଦ୍ର ପାଇଁ ଅନୁମତି ମିଳିଥିଲା ଓ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଘୋଷିତ ହୋଇଥିଲା ।