ବାଲେଶ୍ବର: ମାତିଛନ୍ତି ଲୁଟେରା । ମହାପ୍ରଭୁଙ୍କୁ ବି ଛାଡ଼ିଲେନି । ଜଗନ୍ନାଥଙ୍କ ମନ୍ଦିରରେ ପଶି ବୁଲାଇଲେ କଳାକନା । ତିନି ଠାକୁରଙ୍କ ରୁପା, ସୁନା ମୁକୁଟ ଓ ଦାନବାକ୍ସ ନେଇଗଲେ ଚୋର । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଚମ୍ପୁ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମହାପ୍ରଭୁଙ୍କ ସୁନା, ଚାନ୍ଦି ମୁକୁଟ ଓ ଦାନ ବାକ୍ସଚୋରି କରି ନେଇଯାଇଥିଲେ । ଆଜି ସକାଳେ ପୂଜକ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିଲେ । ଏହି ସମୟରେ ମନ୍ଦିରର ତାଲା ଭଙ୍ଗା ହୋଇ ତଳେ ପଡ଼ିଥିବା ଦେଖିଥିଲେ । ଏହାସହ ମନ୍ଦିରର ଜିନିଷପତ୍ର ଏଣେତେଣେ ହୋଇ ପଡ଼ିଥିବା ଦେଖିଥିଲେ ।
ଏନେଇ ସେ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ । ପରେ ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଥିଲେ । ଚୋରମାନେ ମନ୍ଦିରରେ ଥିବା ଆଲମାରି ଭାଙ୍ଗି ତିନି ଠାକୁରଙ୍କ ସୁନା, ରୁପା ମୁକୁଟ ନେଇଯାଇଛନ୍ତି । ଏଥିସହ ମହାପ୍ରଭୁଙ୍କ ଦାନବାକ୍ସ ମଧ୍ୟ ନେଇଯାଇଛନ୍ତି । ଚୋରି ଅଳଙ୍କାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।