ଆଜି ଭୁବନେଶ୍ବରରେ ପହଞ୍ଚିବେ ଟିମ୍ ଭାରତ


ଭୁବନେଶ୍ବର: ଦିନକ ପରେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ । ସେଥିପାଇଁ ଆଜି ଭୁବନେଶ୍ବରରେ ଆସି ପହଞ୍ଚିବେ ଟିମ୍ ଇଣ୍ଡିଆ ଖେଳାଳି । ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା । ତା’ପୂର୍ବରୁ ସରିଛି ବାରବାଟୀ ମ୍ୟାଚ ପାଇଁ କାରକେଡ୍ ରିହରର୍ସାଲ । ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରୁ କଟକ ଷ୍ଟାଡିୟମରେ ପହଞ୍ଚିଲା ଅଭ୍ୟାସ କାରକେଡ୍ । ଦୁଇ ଦଳର ଖେଳାଳିଙ୍କ ପାଇଁ ଦୁଇଟି ବସ ଏହି କାରକେଡରେ ରହିଛି । ଦୁଇ ଡିସିପିଙ୍କ ଉପସ୍ଥିତିରେ ଏହି ଅଭ୍ୟାସ କରାଯାଇଥିଲା  । ବିମାନ ବନ୍ଦରରୁ ହୋଟେଲ, ହୋଟେଲରୁ ବାରବାଟୀ ଷ୍ଟାଡିୟମରେ କିଭଳି କଡ଼ା ସୁରକ୍ଷା ବଳୟରେ ଖେଳାଳି ପହଞ୍ଚିବେ ସେନେଇ କାରକେଡ୍ ରହିରର୍ସାଲ କରାଯାଇଛି ।

କ’ଣ ଖାଇବେ ଦୁଇ ଦଳର ଖେଳାଳି ?

ଏହାସହ ଖେଳାଳି କ’ଣ ଖାଇବେ, କିଭଳି ହୋଟେଲରେ ରହିବେ ସେନେଇ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । କ୍ରିକେଟ ଖେଳାଳିଙ୍କୁ ପରଷା ଯିବ ଓଡିଆ ଖାଦ୍ୟ । ମିଲେଟରୁ ପ୍ରସ୍ତୁତ ମଣ୍ଡା ସହ ଛେନା ପୋଡ଼ । ଦେଶୀ ଚିକେନ ସାଙ୍ଗକୁ ମାଛ ବେସର । ସକାଳ ଜଳଖିଆ ପାଇଁ ସ୍ପେଶାଲ ଆଇଟମ୍ । ହୋଟେଲ ମେ-ଫେୟାରରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି  । ଖାଇବା ମେନ୍ୟୁରେ ମିଲେଟରୁ ପ୍ରସ୍ତୁତ ଆଇଟମକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଡାଇଟିସିଆନଙ୍କ ଡାଇଟ ଚାର୍ଟ ଅନୁସାରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ । ଖାସ କରି ଦୁଇ ଦେଶର ଖେଳାଳିଙ୍କ ପାଇଁ କନିକାରେ ଖାଣ୍ଟି ଓଡିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ସ୍ନାକ୍ସ, ଲଞ୍ଚ ଓ ଡିନରରେ ଓଡ଼ିଶାର ଖାଦ୍ୟ କସାଂ ପାତ୍ରରେ ପରସା ଯିବ । ଜଳଖିଆରେ ଛତୁ, ପନିର ପକୋଡା ସହିତ ଭେଜରେ ସ୍ନାକ୍ସ ରହିବ । ଲଞ୍ଚ ଓ ଡିନରରେ ପଖାଳ, ଦେଶୀ ଚିକେନ ସହ ବିଭିନ୍ନ ପ୍ରକାର ମାଛ ତରକାରୀ, ସାଧା ବେସର, ଡାଲମା ଇତ୍ୟାଦି ବ୍ୟଞ୍ଜନ ରହିଛି । ଦୁଇ ଦେଶର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ ଏବଂ ବିସିସିଆଇର କର୍ମକର୍ତ୍ତାଙ୍କ ପାଇଁ ହୋଟେଲରେ ମୋଟ୍ ୯୬ଟି ରୁମ୍ ବୁକ୍ କରାଯାଇଛି । ଆସିବାଠାରୁ ଯିବା ପର୍ଯ୍ୟନ୍ତ ଅନ୍ୟ କୌଣସି ଅତିଥିଙ୍କ ପାଇଁ ବୁକିଂ ବନ୍ଦ ରହିବ ।