କେଜ୍ରିଓ୍ବାଲଙ୍କୁ ଘୋଡ଼ା ବେପାର ଭୟ, ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ଡାକିଲେ ବୈଠକ


ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାପାଇଁ ନିର୍ବାଚନ ସରିଥିବା ବେଳେ ଫଳାଫଳକୁ ଅପେକ୍ଷା କରାଯାଇଛି । ଏକଜିଟ ପୋଲ ଏଥର ବିଜେପି ସପକ୍ଷରେ ରହିଛି । ୨୫ ବର୍ଷ ପରେ ଦିଲ୍ଲୀରେ ବିଜେପି ପୁଣି କ୍ଷମତାକୁ ଫେରୁଥିବା ଘର ବାହୁଡ଼ଶ ମତ କହୁଛି । ତେବେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏହାକୁ ଅସ୍ବୀକାର କରିଥିବା ବେଳେ ଦିଲ୍ଲୀରେ ଆପ ପୁଣି ସରକାର ଗଢୁ ଥିବା କହିଛନ୍ତି । ହେଲେ କେଜ୍ରିଓ୍ବାଲଙ୍କ ମନରେ କେଉଁଠି ନା କେଉଁଠି ଭୟ ରହିଛି । ଏଥିପାଇଁ ଭୋଟ ଗଣତି ପୂର୍ବରୁ ସମସ୍ତ ୭୦ ବିଧାୟକ ପ୍ରାର୍ଥୀଙ୍କ ବୈଠକ ଡକାଇଛନ୍ତି କେଜ୍ରିଓ୍ବାଲ ।

ମିଳିଥିବା ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟି ନିଜର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ଏକ ବୈଠକ ଡାକିଛି । ଯେଉଁଥିରେ ଅଧ୍ୟକ୍ଷତା କରିବେ ଦଳର ସଂଯୋଜକ କେଜ୍ରିଓ୍ୱାଲ । ବୈଠକରେ ବିଜେପିର ଅପରେସନ୍ ଲୋଟସ୍ ପ୍ରତି ବିଧାୟକ ପ୍ରାର୍ଥୀମାନେ ସତର୍କ ରହିବାକୁ ପରାମର୍ଶ ଦେଇପାରନ୍ତି କେଜ୍ରିଓ୍ୱାଲ ।

ଆସନ୍ତା ଶନିବାର ଦିନ ଦିଲ୍ଲୀ ବିଧାନସଭାର ରେଜଲ୍ଟ ଆସିବ । ଆଉ ଏହା ପୂର୍ବରୁ ସରକାର ଗଢିବାକୁ ଅପରେସନ୍ ଲୋଟସ୍ କରିପାରେ ବିଜେପି । ଖାସ୍ କରି ଏକଜିଟ୍ ପୋଲରେ ବିଜେପିକୁ ବହୁମତ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ଯଦି ଏହି ସଂଖ୍ୟା କମ ରହେ, ତେବେ ବିଜେପି ନିଶ୍ଚୟ କିଛି ଆପ୍ ନେତାଙ୍କୁ ନିଜ ପଟକୁ ନେବାକୁ ଚେଷ୍ଟା କରିବ । ତେଣୁ ଏଭଳି ସ୍ଥିତିରେ ନିଜ ନେତାଙ୍କୁ ସତର୍କ କରିବାକୁ କେଜ୍ରିଓ୍ବାଲ ବୈଠକ ଡାକିଛନ୍ତି ।

ସେପଟେ ଆପ୍ ନେତା ସଂଞ୍ଜୟ ସିଂହ ଭୋଟ୍ ଗଣତି ପୂର୍ବରୁ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଭୋଟ୍ ଗଣତି ପୂର୍ବରୁ ଦିଲ୍ଲୀରେ ଅପରେସନ୍ ଲୋଟସ୍ ଆରମ୍ଭ ହୋଇଯାଇଛି । ଆପ୍ ବିଧାୟକଙ୍କୁ ୧୫ କୋଟି ଲେଖାଏଁ ଟଙ୍କା ଦେଇ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଛି ବିଜେପି ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ପଡିଥିଲା ଦିଲ୍ଲୀ ଭୋଟ୍ । ଆଉ ଏହାପରେ ଆସିଥିଲା ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲରେ ଏଥର ଦିଲ୍ଲୀରେ ବିଜେପି ସରକାର ଗଠନ କରୁଥିବା କୁହାଯାଉଛି । ହେଲେ ଏକଜିଟ୍ ପୋଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି କେଜ୍ରିଓ୍ୱାଲ । ଏହାସହ ତାଙ୍କର କିଛି ନେତାଙ୍କ ପାଖକୁ ଫୋନ୍ ଆସିବା ଆରମ୍ଭ ହୋଇଯାଇଛି । ଆଉ ସେମାନଙ୍କୁ ୧୫ କୋଟି ଲେଖାଏଁ ଟଙ୍କା ଦେଇ, ନିଜ ଦଳରେ ସାମିଲ କରିବାକୁ ବିଜେପି ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି କେଜ୍ରିଓ୍ୱାଲ ।