ଦିଲ୍ଲୀ ନିର୍ବାଚନ: ବହୁମତଠାରୁ ବହୁ ଆଗରେ ବିଜେପି, ପଛରେ ପଡ଼ିଲା ଆପ୍, କଂଗ୍ରେସ ଚିତକାତ


ଭୁବନେଶ୍ବର: ଚାଲିଛି ଦିଲ୍ଲୀ ବିଧାନସଭା ଭୋଟ ଗଣତି । ସତ ହେବାକୁ ଯାଉଛି ଏକଜିଟ ପୋଲ୍ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଦଖଲ ପାଇଁ ୩୬ ଆସନର ଆବଶ୍ୟକତା ଥିବା ବେଳେ ବିଜେପି ୪୨ ସିଟରେ ଆଗରେ ଚାଲିଛି । ତୃତୀୟ ଥର ଦିଲ୍ଲୀ ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା ଆମ୍ ଆଦମୀ ପାର୍ଟି ୨୮ ସିଟରେ ଆଗରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ ଦିଲ୍ଲୀରେ ଚିତକାତ ମାରିଛି । ଦଳ କୌଣସି ଆସନରେ ଆଗୁଆ ନଥିବା ବେଳେ ଖାତା ଖୋଲିବା ଭଳି ମଧ୍ୟ ଲାଗୁନି । ଯଦି ଏହି ଟ୍ରେଣ୍ଡ ଆଗକୁ ବଢେ ତେବେ ୨୭ ବର୍ଷ ପରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବାକୁ ଯାଉଛି ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ଦିଲ୍ଲୀରେ ଭୋଟିଂ ହୋଇଥିଲା । ସେହିଦିନ ସନ୍ଧ୍ୟା ୫ଟା ପରେ ଆସିଥିଲା ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ବହୁମତ ମିଳିବା ନେଇ ପୂର୍ବାନୁମାନ କରାଯାଇଥିଲା । ଆଉ ସତକୁ ସତ, ଟ୍ରେଣ୍ଡ ମଧ୍ୟ ସେହି ଦିଗରେ ଗତି କରୁଛି । ଟ୍ରେଣ୍ଡ ଅନୁସାରେ ଦିଲ୍ଲୀରେ ସରକାର ଗଢିବାକୁ ବହୁମତ ପାଉଛି ବିଜେପି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାରମ୍ଭିକ ଟ୍ରେଣ୍ଡର ଦିଲ୍ଲୀର ବହୁ ବଡ଼ ବଡ଼ ନେତା ପଛରେ ପଡିଛନ୍ତି । ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହିତ ମନୀଷ ସିସୋଦିଆ, ଅତିଶୀ ଏବଂ ଅବଧ ଓଝା ପଛରେ ପଡିଛନ୍ତି ।  ଅନ୍ୟପଟେ ଆପର ୩ ବଡ ନେତା ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ଓ ମନୀଷ ସିସୋଦିଆ ଗଣତିର ପ୍ରଥମ ପର୍ଯ୍ୟାୟରେ ପଛରେ ପଡିଥିବା ସୂଚନା ମିଳିଛି ।