ଦିଲ୍ଲୀ ହାରିବା ପରେ ଭଗୱନ୍ତ ମାନଙ୍କୁ ହଟାଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବେ କି କେଜ୍ରିଓ୍ବାଲ ?


ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଛାଡୁ ସଫା ହୋଇଯିବା ପଞ୍ଜାବରେ ସୃଷ୍ଟି କରିଛି ରାଜନୈତିକ କମ୍ପନ । ବିଶେଷ କରି ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବ ବିଧାୟକ ଓ ସାଂସଦଙ୍କ ବୈଠକ ଡାକିବା ପରେ ଏଥିରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଜର ପୂରା କ୍ୟାବିନେଟ ସହ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି । ଦିଲ୍ଲୀ ସ୍ଥିତ କପୁରତାଲା ହାଉସରେ ବୈଠକ ବସିବ । ଏମିତି ସ୍ଥିତିରେ କେଜ୍ରିୱାଲ ଭଗୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ପଞ୍ଜାବ କମାଣ ଧରିବାକୁ ଷଡଯନ୍ତ୍ର କରୁଥିବାର ସାଂଘାତିକ ଅଭିଯୋଗ ଆଣିଛି ବିଜେପି ଓ କଂଗ୍ରେସ । 

ବିଜେପି ନେତା ମନଜିନ୍ଦର ସିଂ ସିରସା ଏକ ଭିଡିଓ ଜାରି କରି କହିଛନ୍ତି, ଦିଲ୍ଲୀରେ ହାରିବା ପରେ କେଜ୍ରିୱାଲ ପଞ୍ଜାବ ବିଧାୟକଙ୍କ ବୈଠକ ଡାକିଛନ୍ତି । ଶୁଣିବାକୁ ମିଳୁଛି, କେଜ୍ରିୱାଲ ଭଗୱନ୍ତ ମାନଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରି ନିଜେ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ଚେଷ୍ଟାରେ ଅଛନ୍ତି । ପଞ୍ଜାବରେ ମାନ ସରକାର ମହିଳାଙ୍କୁ ୧୦୦୦ ଟଙ୍କା ପ୍ରଦାନର ପ୍ରତିଶ୍ରୁତି ପୂରଣ କରିପାରି ନଥିବା ବେଳେ ନିଶା ସମସ୍ୟା ରୋକିବାରେ ବିଫଳ ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏସବୁ କହି କେଜ୍ରିୱାଲ ଭଗୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ।

ସେ ଭଗୱନ୍ତଙ୍କୁ କେଜ୍ରିୱାଲଙ୍କଠାରୁ ସତର୍କ ରହିବାକୁ ଚେତାଇ କହିଛନ୍ତି, ଏଇଟା ପଞ୍ଜାବ । କେଜ୍ରିୱାଲ ଜୀ ଭୁଲରେ ଏଠି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତୁ ନାହିଁ । କୌଣସି ପରିସ୍ଥିତିରେ ପଞ୍ଜାବବାସୀ ଏପରି ହେବାକୁ ଦେବେନି । କେଜ୍ରିୱାଲ କାହାରି ନୁହଁନ୍ତି । ତେଣୁ ତାଙ୍କ ପ୍ରତି ସତର୍କ ରହିବାକୁ ସେ ମାନଙ୍କୁ କହିଛନ୍ତି ।

ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବର ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା କେଜ୍ରିୱାଲଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ସେ କହିଥିଲେ, ଦିଲ୍ଲୀରେ ହାରିବା ପରେ ଅରବିନ୍ଦ କେଜ୍ରିୱାଲ ଏବେ ପଞ୍ଜାବ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରିବେ । ଏଥିସହ ଆପର ପ୍ରାୟ ୩୦ ଜଣ ବିଧାୟକ କଂଗ୍ରେସ ସହ ଯୋଗାଯୋଗରେ ରହିଥିବା ମଧ୍ୟ ସେ ଦାବି କରିଥିଲେ ।

ଅନ୍ୟପଟେ ଆପ୍ ସୂତ୍ର ଅନୁସାରେ, କେଜ୍ରିୱାଲ ପଞ୍ଜାବର ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଏହି ବୈଠକ ଦିଲ୍ଲୀ ନିର୍ବାଚନ ଉପରେ ଆଲୋଚନା କରିବାକୁ ଡାକିଛନ୍ତି । କାରଣ ଏହି ନେତାମାନେ ଦିଲ୍ଲୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସକ୍ରିୟ ଭାବେ ପ୍ରଚାର କରିଥିଲେ । ପଞ୍ଜାବ ସିଏମଙ୍କ ସମେତ କ୍ୟାବିନେଟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ୨୦୦ରୁ ଅଧିକ ଦଳୀୟ କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀରେ ଡେରାରେ ପକାଇଥିଲେ । ତେଣୁ ବୈଠକର ଏଜେଣ୍ଡା ଦିଲ୍ଲୀ ପରାଜୟର ବିଶ୍ଲେଷଣ କରିବା ଓ ୨୦୨୭ ଆରମ୍ଭରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ବୋଲି କୁହାଯାଉଛି ।