ବାର ବର୍ଷର ସ୍ଵପ୍ନ ହେଲା ପୂରଣ ; ବିଶ୍ଵ ବିଦ୍ୟାଳୟ ଖେଳିବାକୁ ମନୋନିତ ହେଲେ ଏହେସାସ


ବୀରମହାରାଜପୁର : (ସୌମିତ୍ରି ମେହେର) ଶେଷରେ ୧୨ ବର୍ଷର ସ୍ୱପ୍ନ ହେଲା ପୁରଣ ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେବାକୁ ମନୋନିତ ହେଲେ ଏହେସାସ । ଗତ ନଭେମ୍ବର ମାସରେ ଜାତୀୟ ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗିତାରେ ମେଡାଲ ଜିଣିଥିଲେ ଏହେସାସ । ଏଣୁ ଗତ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଗୁରୁନନକ ବିଶ୍ୱ ବିଦ୍ୟାଳୟ ଅମୃତସରଠାରେ ଅନୁଷ୍ଠିତ ଚୟନ ଶିବିରରେ ଏହେସାସଙ୍କୁ ଭାଗ ନେବାର ସୁଯୋଗ ମିଳିଥିଲା । ସେଥିରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ସେ ଏହି ସୁଯୋଗ ପାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ଗାଁର ସୁନାପୁଅ ଏହେସାସ ହୋତାଙ୍କୁ ଏବେ ମିଳିଛି ଏହି ସଫଳତା । ୧୨ ବର୍ଷର ତାଇକଣ୍ଡୋ କେରିୟର ଭିତରେ ସାଉଥକୋରିଆ , ଜୋର୍ଡାନ , ଥାଇଲାଣ୍ଡ , ଇରାନ , ଦୁବାଇ , କତର ଏବଂ ୟୁରୋପ ଭଳି ଦେଶମାନଙ୍କରେ ଅନୁଷ୍ଠିତ ୬ ଗୋଟି ଅଲିମ୍ପିକ ରେଙ୍କିଙ୍ଗ ଟୁର୍ଣ୍ଣାମେଂଟ , ୧୨ଗୋଟି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ସହିତ ବିଶ୍ୱ ବିଦ୍ୟାଳୟ , ଫେଡେରେସନ ଏବଂ ଓପୋନ ମିଶି ମୋଟ ୪୦ ଗୋଟି ଟୁର୍ଣ୍ଣୁାମେଂଟରେ ଅଂଶଗ୍ରହଣ କରି ଅନେକ ମେଡାଲ ହାତେଇ ସାରିଛନ୍ତି । ସେହିଭଳି ବିପିଏଡ ଡିଗ୍ରୀ ସହ ତାଇକଣ୍ଡୋରେ ଥାର୍ଡ ଡନ ବ୍ଲାକ ବେଲ୍ଟ (ସଉଥ କୋରିଆ) , କଂଟିନେଂଟାଲ କ୍ୟୁରୋଗୀ ଏସିଏନ କୋଚ , ଡବ୍ଲୁଟି ଆଇଆର ଟେକ୍ନିକାଟ ଲାଇସନ୍ସ ମଧ୍ୟ ହାସଲ କରିସାରିଛନ୍ତି । ଏହେସାସଙ୍କ କୃତିତ୍ୱ ପାଇଁ ୪୦ରୁ ଅଧିକ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ କ୍ରୀଡା ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ଏହା ପୁର୍ବରୁ ଗତ ୨୦୧୯ ମସିହାରେ ମଧ୍ୟ ସର୍ବ ଭାରତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପ୍ରତିନିଧିତ୍ୱ କରି ସେ ବ୍ରୋଂଜ ପଦକ ହାସଲ କରିଥିଲେ । ପ୍ରତି ଦୁଇବର୍ଷରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଯାହାକି ଅଲିମ୍ପିକ ପ୍ରତିଯୋଗିତା ସହ ସମକକ୍ଷ ପ୍ରତିଯୋଗିତାରେ ସେତେବେଳେ କରୋନା କଟକଣା ଯୋଗୁଁ ସେ ଅଂଶଗ୍ରହଣ କରିପାରିନଥିଲେ । ଦିନେ ଅଲିମ୍ପିକ କ୍ରୀଡାରେ ଅଂଶଗ୍ରହଣ କରିବାର ସ୍ୱପ୍ନ ଦେଖିଥିବା ଏହେସାସଙ୍କ ସ୍ୱପ୍ନ ଏବେ ସଫଳ ହୋଇଛି । ଆସନ୍ତା ଜୁଲାଇ ମାସରେ ଜର୍ମାନୀରେ ଅନୁଷ୍ଠିତ ହୋବକୁଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିବେ ଏହେସାସ । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଇତିହାସରେ ଆଥଲେଟିକ୍ସରେ ପୁର୍ବରୁ ୩ ଜଣ କ୍ରୀଡାବିତଙ୍କୁ ଏହି ସଫଳତା ମିଳିଥିବାବେଳେ ଏହେସାସ ହେଉଛନ୍ତି ଚତୁର୍ଥ ଖେଳାଳୀ ଯିଏ ଏଭଳି ଏକ ସଫଳତା ହାସଲ କରିପାରିଛନ୍ତି । ତେବେ ପଶ୍ଚିମ ଓଡିଶାର ଏକମାତ୍ର ଖେଳାଳୀ ଯିଏକି ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ପାଇଥିବାବେଳେ ଓଡିଶା ତାଇକଣ୍ଡୋ ଇତିହାସରେ ଏହେସାସ ହେଉଛନ୍ତି ପ୍ରଥମ କ୍ରୀଡାବିତ ଯିଏକି ଏଭଳି ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସଫଳତା ହାସଲ କରିଛନ୍ତି । ଏହେସାସଙ୍କ ଏହି ସଫଳତା ପରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ବିଦୁଭୂଷଣ ମିଶ୍ର , ରେଜିଷ୍ଟାର ଡ. ନୃପରାଜ ସାହୁ ସ୍ପୋର୍ଶ ଡାଇରେକ୍ଟର ଅଭିନାଶ କର , ସ୍ପୋର୍ଶ କାଉନସିଲ ସେକ୍ରେଟାରୀ ଡ. ଦେବେନ୍ଦ୍ର ମହାଲିକ , ସିଡିସି ଅଧ୍ୟକ୍ଷ ଡ. ସଂଯୁକ୍ତା ଦାଶ , କୋଚ ରାମ କୁମାର ସାହୁ , ବରଗଡ ଇମ୍ପାରିଆଲ କଲେଜର ମେନେଜିଙ୍ଗ ଡାଇରେକ୍ଟର ଦୀପକ ଗୋଏଲ , ଅଧ୍ୟକ୍ଷ ଦୁର୍ଗେଶ ଶତପଥି , ଝାଡେଶ୍ୱରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଅନିଲ ପଧାନ , ସିଣ୍ଡୋଲ ଯୁକ୍ତ ଦୁଇ ଅଧ୍ୟକ୍ଷ ସିରିଶ ଦାଶ , ଯୁକ୍ତ ତିନି ଅଧ୍ୟକ୍ଷ ଅଜିତ ମେହେର , ପଶ୍ଚିମ ଓଡିଶା ପିଇଟି ସଂଘ , ସୁବର୍ଣ୍ଣପୁରର ପୁର୍ବତନ ତଥା ବର୍ତମାନର ଝାରସୁଗୁଡା ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ ରଂଜନ ମିଶ୍ର , ପୁର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ସଭାପତି ରବୀନ୍ଦ୍ର ହୋତା ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶଦାତା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।