Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମମତାଙ୍କୁ ପସନ୍ଦ ଆସିଲା ନୀତିଶ କୁମାରଙ୍କ ଫର୍ମୁଲା, ବିଜେପି ବିରୋଧରେ ଏକଜୁଟ୍ ହେବାକୁ ଦେଲେ ମନ୍ତ୍ର

କୋଲକାତା: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଶାସକ ବିଜେପିକୁ ମାତ୍ ଦେବା ପାଇଁ ଅନେକ ବିରୋଧୀ ଦଳ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲଗାତାର ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀଙ୍କୁ ଏକଜୁଟ୍ କରିବାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ସେ ଦେଶର ଅନେକ ବିରୋଧୀ ଦଳର ନେତାମାନଙ୍କ ସହ ବୈଠକ କରିଛନ୍ତି। ନିକଟରେ ସେ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ସୂତ୍ର ଅନୁଯାୟୀ, ବୈଠକରେ ନୀତିଶ କୁମାର ପ୍ରତ୍ୟେକ ସିଟରେ ମିଳିତ ପ୍ରାର୍ଥୀ ଦେବାର ଫର୍ମୁଲା ଦେଇଥିଲେ। ଆଉ ମମତାଙ୍କୁ ମଧ୍ୟ ନୀତିଶଙ୍କ ଏହି ଫର୍ମୁଲା ପସନ୍ଦ ଆସିଛି।

ମମତା ବାନାର୍ଜୀ କହିଛନ୍ତି, ବିରୋଧୀ ଦଳଗୁଡିକୁ ଆସନ୍ତା ଲୋକସଭା ନିର୍ବାଚନରେ ସମସ୍ତ ୫୪୩ ଆସନରେ ମିଳିତ ପ୍ରାର୍ଥୀ ଦେଇ ଏକଜୁଟ୍ ହୋଇ ବିଜେପି ବିରୋଧରେ ଲଢିବା ଉଚିତ୍। ପ୍ରତ୍ୟେକ ପାର୍ଟିଙ୍କୁ ନିଜ ନିଜ ଗଡ଼ରେ ଲଢିବା ଉଚିତ୍, ଯେଉଁଠି ସମସ୍ତ ବିରୋଧୀ ଦଳଗୁଡିକର ସମର୍ଥନ ମିଳୁଛି।

ସୂଚନାଯୋଗ୍ୟ, ନିକଟରେ ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ କିଛି ଅନ୍ୟ ରାଜ୍ୟଗୁଡ଼ିକରେ ସଂପନ୍ନ ବିଧାନସଭା ନିର୍ବାଚନରେ ଟିଏମସି ଏବଂ ଆପ୍ ନିଜ ନିଜର ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଆଉ ଏହିସବୁ ରାଜ୍ୟଗୁଡ଼ିକରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ଲଢେଇ ଚାଲିଥିଲା। ଫଳରେ ବିଜେପିକୁ ଏହାର ଫାଇଦା ମିଳିଥିଲା।

ମମତା କହିଛନ୍ତି, ମୁଁ ସମସ୍ତ ବିରୋଧୀଦଳଗୁଡ଼ିକୁ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକତ୍ର ହେବାକୁ ଅପିଲ୍ କରିବି। ଆମକୁ ବିଜେପିକୁ ହରାଇବାକୁ ହେଲେ ପରସ୍ପର ବିରୋଧରେ ନ ଲଢି ଏକଜୁଟ୍ ହେବାର ଆବଶ୍ୟକତା ରହିଛି। କୋଲକାତାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ସାକ୍ଷାତ ସମୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିରୋଧୀ ଦଳଗୁଡ଼ିକର ଏକ ବୈଠକ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ଏଜେଣ୍ଡାରେ ନୀତିଶ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟି ପାରନ୍ତି।