ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଭାଲୁଡୁଙ୍ଗୁରୀ ଗ୍ରାମର ଶୃଙ୍ଗଦର୍ହ ରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ବୁଧୁବାର ସନ୍ଧ୍ୟାରେ ସମାପନ ହୋଇଯାଇଛି । ଏହା ସହିତ ମନ୍ଦିର ପ୍ରତିଷ୍ଠା ପାଇଁ ହେଉଥିବା ଚବିଶ ପ୍ରହରୀ ନାମଯଜ୍ଞ ର ମଧ୍ୟ ପୂର୍ଣ୍ଣାହୁତି ପଡ଼ିଛି। ପ୍ରଥମ ଦିବସ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୃଙ୍ଗଦର୍ହ ସ୍ଥିତ ରାଧା ବହ୍ଲଭ ମଠ ର ମଠାଧିସ ସନତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିଲା । ଏଥିରେ ବୀରମହାରାଜପୁର ବ୍ଲକ ବଡ଼ବର୍ଡାକଟା ଗ୍ରାମର ଅଟଳ ମିଶ୍ର ବ୍ୟାସ ଭାବେ ଯୋଗଦେଇ ସୁନ୍ଦରା କାଣ୍ଡ ପାଠ କରିଥିଲେ। ଦ୍ଵିତୀୟ ଦିବସ ରୁ ଚବିଶ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା। ରୀତିମତେ ପୂଜାର୍ଚ୍ଚନା ପରେ ପ୍ରତ୍ୟହ ବିଭିନ୍ନ ନିତିକାନ୍ତି କରାଯାଇଥିଲା । ଅଙ୍କୁରା ରୋପଣ , କଳସ ଯାତ୍ରା , ଧାନ୍ୟାଭିଶେକ , ଦେବସ୍ନାନ ଓ ମନ୍ଦିର ସ୍ନାନ କରାଯାଇଥିଲା । ଏକ ଆଧ୍ୟାତ୍ମିକ ପରିବେଶ ରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ହରିବୋଲ , ହୁଳହୁଳି ରେ ବିଗ୍ରହ ମାନଙ୍କୁ ମନ୍ଦିର ର ଗର୍ଭଗୃହ କୁ ନିଆଯାଇ ଥିଲା। ଶ୍ରଦ୍ଧାଳୁ ଙ୍କ ପ୍ରତ୍ୟହ ଧାଡ଼ି ଦର୍ଶନ ର ବ୍ୟବସ୍ଥା କରାଯାଇଥିଲା। ଭାଲୁଡୁଙ୍ଗୁରୀ , ବିଶାଳପାଲି , ପାତ୍ରପାଲି ଓ ଚିଙ୍ଗିରାନାଲି ଗ୍ରାମର ଲୋକେ ଏହି ଉତ୍ସବ ର ପରିଚାଳନା କରୁଥିଲେ। ମନ୍ଦିର ର ମୁଖ୍ୟ ଗର୍ଭ ଗୃହ ରେ ରାଧାକୃଷ୍ଣ ଙ୍କ ବିଗ୍ରହ ସ୍ଥାପନ କରାଯାଇଥିବା ବେଳେ ଚାରି ଦ୍ୱାର ରେ ଦ୍ବାରିକାନାଥ , ରାମେଶ୍ଵରମ , ବଦ୍ରିନାଥ ଓ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରା , ଦଶବତାର ଓ ପାର୍ଶ୍ଵ ଦେବା ଦେବୀ ଙ୍କ ବିଗ୍ରହ ସ୍ଥାପନ କରାଯାଇଛି। ଏହି ପ୍ରତିଷ୍ଠା ଉତ୍ସବରେ ଘନଶ୍ୟାମ ପଣ୍ଡା , ସୁଦାମ ପଣ୍ଡା , ସୁଶାନ୍ତ ପୁରୋହିତ , ବ୍ରଜମୋହନ ପଣ୍ଡା , ବିଘ୍ନରାଜ ମିଶ୍ର , କୃଷ୍ଣଚନ୍ଦ୍ର ନନ୍ଦ , ପିଣ୍ଟୁ ପୁରୋହିତ ପ୍ରମୁଖ ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ବିଭିନ୍ନ ମଠର ସାଧୁସନ୍ଥ ଙ୍କ ସମାଗମ ମଧ୍ୟ ହୋଇଥିଲା। ପ୍ରତ୍ୟହ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଏହା ଦେଖିବାକୁ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଭାଲୁଡୁଙ୍ଗୁରି ରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ
