ସ୍ନାନ କରିବା ବେଳେ ପାଣିରେ ବୁଡି ହାଇସ୍କୁଲ କିରାଣୀଙ୍କ ମୃତ୍ୟୁ


ବାଲିଗୁଡା, ତା, ୨୦/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଭୋଇ ସାହି ର ଶିବ ପ୍ରସାଦ ଭୋଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଶିବ ଟିକାବାଲି ବ୍ଲକ୍ ଅଧିନସ୍ଥ ବୁର୍ବୀନାଜୁ ଗ୍ରାମ ପଞ୍ଚାୟତ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ କିରାଣୀ ଭାବରେ କାର୍ଯ୍ୟରତ ଥିଲେ । ସୂଚନା ପ୍ରକାରେ ଶିବ ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ଭୋରରୁ ଟିକାବାଲି ମାଷ୍ଟ୍ରପଡା ସାହି ପାଖରେ ଥ‌ିବା ରଙ୍ଗୁଆରେ ସ୍ନାନ କରିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ମୁହଁ ମାଡି ବୁଡି ଯାଇଥିବା ଅନୁମାନ କରାଯାଉଛି । ସକାଳୁ କିଛି ସ୍ଥାନୀୟ ଲୋକେ ଗାଧୋଇବା ପାଇଁ ଆସିଥ‌ିବା ବେଳେ କୈାଣସି ଏକ ଅଜଣା ବ୍ୟକ୍ତିର ମୃତ ଦେହ ଭାସୁଥ‌ିବା ଦେଖିବାକୁ ପାଇଥିଲେ । ଏହି ଖବର ଚାରିଆଡ଼େ ଚହଳ ପଡ଼ିବାପରେ ଶିବଙ୍କ ପୁଅ ବାଦଲ ଭୋଇ ଆସି ଦେଖ‌ିବା ପରେ ବାପାଙ୍କୁ ଚିହ୍ନି ଥିଲେ । ସ୍ଥାନୀୟ ଲୋକମାନେ ପ୍ରଥମେ ପୋଲିସ୍ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଓ ଟିମ ହ୍ୟୁମାନିଟି ସଦସ୍ୟ ହିରୋ ନାୟକ, ନିଳମାଧବ ଗିଡିଙ୍କ ସାହାଯ୍ୟରେ ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲେ। ସେଠାରେ ଡ଼ାକ୍ତର ଶିବଙ୍କୁ ମୃତ୍ଯୁ ଘୋଷଣା କରିଥିଲେ । ଟିକାବାଲି ପୋଲିସ୍ କେସ୍ ନଂ. ୨/୨୫ ରେ ଏକ ମାମଲା ରୁଜୁ କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଏଏସ୍ ଆଇ ରାଜେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି l