ବନ୍ଧୁକ ମୁନରେ ଲୁଟ : ସ୍ୱାମୀଙ୍କୁ ବାନ୍ଧିଲେ: ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ୮ ଭରି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା : ଦୋକାନ ବଜାର ବନ୍ଦ, ରାସ୍ତାରୋକ


ବାଲିଗୁଡା, ତା, ୨୭/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ଚୋରଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି l ବାରମ୍ବାର ଚୋରୀ, ଡକାୟତି, ଲୁଟତରାଜ, ରାହାଜାନି କରି ସିଧାସଳଖ ସ୍ଥାନୀୟ ପୋଲିସ କୁ ଚାଲେଞ୍ଜ ଦେଇ ଚାଲିଛନ୍ତି l ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ବୁଧବାର ମଧ୍ୟରାତ୍ରି ରେ ତୁମୁଡିବନ୍ଧ ସ୍ଥିତ ଡ଼ଃ.ଆମ୍ବେଦକର ଛକ ବାସିନ୍ଦା ପିତାମ୍ବର ସାହୁ (ସନ୍ତୋଷ)ଙ୍କ ଘର ଉପରେ ୪/୫ ଜଣ ଅଜଣା ମୁଖା ଧାରୀ ଦୁର୍ବୁର୍ତ୍ତ ଅଚାନକ ଚଢ଼ାଉ କରି ୮ ଭରି ସୁନା ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ଟଙ୍କା ଲୁଟ କରି ନେଇଯାଇଛନ୍ତି l ଜଳେଶପଟ୍ଟା ସ୍ଥିତ ଜଳେଶ୍ୱର ଶୈବ ପୀଠରେ ଶିବ ରାତ୍ରି ଥିବା କାରଣରୁ ରାତି ତମାମ ଗହଳ ଚହଳ ଲାଗି ରହିଥିଲା l ସବୁଦିନ ଭଳି ସନ୍ତୋଷ ତାଙ୍କ ପରିବାର ସହ କବାଟ ବନ୍ଦ କରି ଶୋଇପଡ଼ିଥିଲେ l ରାତି ଅଧରେ କେହି କବାଟ ବାଡେଇବାରୁ ଖୋଲିବାକୁ ସଂକୋଚ କରି ଚେଇଁ ବସିଥିଲେ ସନ୍ତୋଷ l କିନ୍ତୁ ଚୋର ମାନେ କବାଟ ଭାଙ୍ଗି ଭିତରେ ପଶିଥିଲେ l ପ୍ରଥମେ ସନ୍ତୋଷଙ୍କ ପାଟିକୁ ବଡ଼ ସେଲୋଟେପରେ ବନ୍ଦ କରି ପଛପଟ ଦୁଇ ହାତକୁ ବାନ୍ଧି ତାଙ୍କ ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ସବୁ ଅଳଙ୍କାର ଲୁଟି ନେଇଯାଇଥିଲେ ଦୁର୍ବୃତ୍ତ l ସେପଟେ ପୋଲିସ ଶିବରାତ୍ର ପାଇଁ ମନ୍ଦିର ପଇଁତରା ମାରୁଥିବା ବେଳେ ଏପଟେ ଏକ ବଡ଼ ଧରଣର କଳାକନା ବୁଲାଇଲେ ଚୋର l ପ୍ରକାଶ ଥାଉକି ୨୦୨୩ ମସିହା ଏପରି ଶିବରାତ୍ରରେ ହିଁ ମେଡିକାଲ ସମ୍ମୁଖ ଝୁନା ପରିଡ଼ାଙ୍କ ଗୃହରୁ ଏକ ବଡ଼ ଧରଣର ଚୋରୀ ହୋଇଥିଲା l ଏପରି ଛୋଟ ବଡ଼ ଧରଣର ଚୋରୀ ନିୟମିତ ହେଉଥିବାରୁ ପୋଲିସର ଅପାରଗତାର ଯଥେଷ୍ଟ ଫାଇଦା ଉଠାଉଛନ୍ତି ଚୋରଦଳ l ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରି ଗୁରୁବାର ତୁମୁଡିବନ୍ଧରେ ବଣିକ ସଂଘ ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ କରି ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତାରୋକ କରିଥିଲେ l ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ସହ ସହ ଯାନବାହାନ ଅଟକି ଥିବାରୁ ଜନସାଧାରଣ ଓ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଖବର ପାଇ ବାଲିଗୁଡ଼ା ପୋଲିସ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଘଟଣା ସ୍ଥଳରେ ନିଜେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତୁମୁଡିବନ୍ଧ ଗ୍ରାମବାସୀ ଓ ବଣିକ ସଂଘ ସହ ଆପୋଷ ଆଲୋଚନା କରି ଏହି ଡକାୟତି ଘଟଣାର ତଦନ୍ତ କରିବା ସହ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ ଅଞ୍ଚଳ ବାସୀ l ତେବେ ବାରମ୍ବାର ଏହିଭଳି ଚୋରୀ, ଡକାୟତି, ଲୁଟତରାଜ ଓ ରାହାଜାନି ତୁମୁଡିବନ୍ଧ ଅଞ୍ଚଳରେ ଲାଗିରହିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଅପରପକ୍ଷେ ଆଇନ ବ୍ୟବସ୍ଥାରେ କୋହଳତା ଯୋଗୁଁ ବାରମ୍ବାର ଗିରଫ ପରେ ଚୋରଙ୍କୁ ସହଜରେ ଜାମିନ ମିଳିଯାଉଛି ଏବଂ ପୋଲିସ କୁ ଆଉ ଭୟ କରୁନାହାନ୍ତି l ତେବେ ଏସଡିପିଓ ଙ୍କ ପ୍ରତିଶୃତି ପରେ ଚୋରଙ୍କ ଉପରେ ଅଙ୍କୁଶ ଲଗାଇବାରେ ପୋଲିସ କେତେଦୂର ସଫଳ ହେଉଛି ତାହା ତୁମୁଡିବନ୍ଧ ଜନସାଧାରଣ ଦେଖିବାକୁ ବାକି ରହିଲା l