ଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ସବୁ ଦଳ ନିଜ ଅଧିନାୟକଙ୍କ ନାଁ ଘୋଷଣା କରି ସାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ ଉପରେ ସମସ୍ତଙ୍କ ନଜର ଥିଲା । ଆଉ ଦିଲ୍ଲୀ ନିଜ ଅଧିନାୟକଙ୍କ ନାଁ ଘୋଷଣା କରିସାରିଛି । ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । କେ.ଏଲ୍. ରାହୁଲ ଅଧିନାୟକ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅକ୍ଷରଙ୍କୁ ଫ୍ରାଞ୍ଚାଇଜ୍ ଅଧିନାୟକ ଘୋଷଣା କରିଛି ।
୨୦୧୯ରୁ ଦିଲ୍ଲୀ କ୍ୟାପିଟାଲ୍ସରୁ ଖେଳି ଆସୁଛନ୍ତି ଅକ୍ଷର ପଟେଲ । ଅକ୍ଷରଙ୍କ ପାଖରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ନାହିଁ । ତଥାପି ଦଳ ତାଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି । ଏହିବର୍ଷ ଇଂଲଣ୍ତ ବିପକ୍ଷ ସିରିଜରେ ଟିମ୍ ଇଣ୍ତିଆର ଉପଅଧିନାୟକ ଦାୟିତ୍ୱ ଅକ୍ଷରଙ୍କୁ ଦିଆଯାଇଥିଲା । ୨୦୨୪-୨୫ ମୁସ୍ତାଖ ଅଲି ଓ ବିଜୟ ହଜାରେ ଟ୍ରଫିରେ ସେ ଗୁଜରାଟ ପକ୍ଷରୁ ଅଧିନାୟକ ଭାର ସମ୍ଭାଳି ଥିଲେ । ପୂର୍ବବର୍ଷ ଆଇପିଏଲରେ ଋଷଭ ଗୋଟିଏ ମ୍ୟାଚରେ ବ୍ୟାନ ଥିବା ବେଳେ ସେ କ୍ୟାପ୍ଟେନସିପ୍ କରିଥିଲେ ।
ଅକ୍ସନ ବେଳେ ଫ୍ରାଞ୍ଚାଇଜ ଯେତେବେଳେ କେ.ଏଲ୍. ରାହୁଲଙ୍କୁ ଦଳରେ ସାମିଲ କରିଥିଲା । ତାଙ୍କୁ ଅଧିନାୟକ ଭାର ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ରାହୁଲ ଅଧିନାୟକତ୍ୱ କରିବେ ନାହିଁ ବୋଲି ଶୁଣିବାକୁ ମିଳିଛି । ସେଥିପାଇଁ ଟିମର ସିନିୟର ଖେଳାଳି ଭାବେ ଅକ୍ଷରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।