ନବ ଦାସ ହତ୍ୟା ମାମଲା: ଆଜି ବି ଜେରାର ସମ୍ମୁଖୀନ ହୋଇପାରନ୍ତି କିଛି ବ୍ୟକ୍ତି


ଭୁବନେଶ୍ବର: ନବ ଦାସ ହତ୍ୟା ମାମଲାର ଫାଇଲ କ୍ରାଇମବ୍ରାଞ୍ଚ ପୁଣି ଥରେ ଖୋଲିବା ପରେ ଜଣଙ୍କ ପରେ ଜଣଙ୍କୁ ଜେରା କରିବାରେ ଲାଗିଛି । ଆଜି ମଧ୍ୟ ଏହି ହତ୍ୟାକାଣ୍ଡ ସହ ଜଡ଼ିତ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ । ଗତକାଲି ସରୋଜ ସା’ ଓ ଜୀବନ ନାୟକଙ୍କୁ ଜେରା କରାଯାଇଥିଲା ।

ନବ ଦାସଙ୍କୁ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିଲେ ସରୋଜ ସା’ । ତାଙ୍କୁ କାଲି ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ । ୨୦୨୩ରେ ନବ ଦାସ ହତ୍ୟା ପରେ ସରୋଜ ସା’ଙ୍କୁ ପଚରାଉଚରା ହୋଇ ନଥିଲା । ଯାହା ନିଜେ ମାନିଛନ୍ତି ସରୋଜ । ସେହିପରି ଘଟଣା ଦିନ ଗୁଳି ବାଜିଥିବା ବ୍ୟକ୍ତି ଜୀବନ ନାୟକଙ୍କର ମଧ୍ୟ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ପାଦ ଛୁଉଁଥିବାବେଳେ ଜୀବନଙ୍କ ବେକରେ ଗୁଳି ଘଷି ହୋଇ ଚାଲି ଯାଇଥିଲା ।

ନବ ଦାସ ହତ୍ୟା ଘଟଣାରେ ୬ ଦିନ ହେଲାଣି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ବିମାନବନ୍ଦର କର୍ମଚାରୀ, ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ, ନବଦାସଙ୍କ ପରିବାରଙ୍କ ସମେତ ୧୨ ଜଣଙ୍କ ବୟାନ ରେକର୍ଡ ସରିଛି । ଆଗକୁ କାହାର ପାଳି ପଡ଼ିବ ତା’ ଉପରେ ସମସ୍ତଙ୍କ ନଜର ରହିଛି ।